ସୋମବାର ବରଗଡ଼ ଠାରେ 'କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ'ର ୨୧ ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଭଳି ହେବା ପାଇଁ ପାଠ ପଢିବା ଦରକାର । ହାତୀ ସିଂହ ଓ ମାଧୋ ସିଂହଙ୍କ ପରି ଚରିତ୍ର ଓ ବ୍ୟକ୍ତିତ୍ଵ ଗଠନ ପାଇଁ ପାଠ ପଢିବା ଦରକାର ବୋଲି କହିଥିଲେ ।
କ୍ରୀଷ୍ଣା ବିକାଶ ଗ୍ରୁପ ଫାଉଣ୍ଡେସନରେ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ପିଲାମାନେ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ ଏବଂ ହାତୀ ସିଂହଙ୍କ ଭଳି ବଳିଷ୍ଠ ବ୍ୟକ୍ତିତ୍ଵ ଗଠନ କରିବା ପାଇଁ ପାଠ ପଢିବା ଦରକାର । ଏହା ଦ୍ବାରା ଆମ ଦେଶ ବିଶ୍ବରେ ଅଗ୍ରଣୀ ହେବ । ଆମ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତି ମଧ୍ୟ ପ୍ରଣୟନ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅମୃତକାଳରେ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷାଦାନ ମାଧ୍ଯମରେ ଭାରତକୁ ବଡ଼ କରାଇବା ପାଇଁ ପ୍ରଚେଷ୍ଟା କରିବା ଦରକାର । କେବଳ ଡକ୍ଟର, ଇଞ୍ଜିନିୟର, ଓକିଲ, ବଡ ବ୍ୟବସାୟ କରିବା ପାଇଁ ନୁହେଁ ବରଂ ସମାଜର କଲ୍ୟାଣ ପାଇଁ ପିଲା ମାନଙ୍କର ଲକ୍ଷ୍ୟ ରହିବା ଦରକାର । ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର । ଜାତୀୟ ଶିକ୍ଷା ନୀତିର ଏହି ଆହ୍ୱାନକୁ ସାକାର କରିବା ଦିଗରେ କ୍ରୀଷ୍ଣା ବିକାଶ ଗ୍ରୁପ ଇନଷ୍ଟିଚ୍ୟୁସନ ଗୁରୁତ୍ବପୂର୍ଣ ଯୋଗଦାନ ରଖିଛି । ଏହାର ସ୍କୁଲ ସମୂହ ଉତ୍ତମ ମଣିଷ ତିଆରିର ଏକ ଅନୁଷ୍ଠାନ ହେଉ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆୟୋଜିତ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା, ମ୍ୟାନେଜମେଣ୍ଟ କମିଟି ଏବଂ ତତସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମାରୋହରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ ଓ ଦୁଃସାହସିକ କ୍ରୀଡ଼ାକୁ ଦେଖୁବା ସହ ଏହାର ଭୂୟସୀ ପ୍ରଶଂସା ମଧ୍ଯ କରିଥିଲେ ।