ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି ନର କଙ୍କାଳ । ଏହି କଙ୍କାଳ କାହାର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ , ଯାଜପୁର ଜିଲ୍ଲା ସଦର ଥାନା ନିଶ୍ଚନ୍ତା ଗ୍ରାମ ଦୂରରେ ଥିବା ପଡ଼ିଆ ମଝିରେ ଗୋଟିଏ ପାଣି ଟାଙ୍କିରୁ ଆଜି ଏହି ୨ ନର କଙ୍କାଳକୁ ଉଦ୍ଧାର କରାଯାଇଛି ।
ଏହି ପାଣି ଟାଙ୍କି ଉପରେ ଛାତ ପଡ଼ିନାହିଁ କି ପାଇପ୍ ସଂଯୋଗ ମଧ୍ୟ ଦିଆଯାଇନାହିଁ । ପାଣି ଟାଙ୍କିଟି ସମ୍ପୂର୍ଣ୍ଣ ରୂପେ ଖାଲି ପଡ଼ିଛି । କହିବାକୁ ଗଲେ ସାଧାରଣତଃ କୌଣସି ଲୋକେ ଏଠାକୁ ଯିବା ଆସିବା କରନ୍ତି ନାହିଁ । ଗାଁର କିଛି ପିଲା ଆଜି ମଧ୍ୟାହ୍ନରେ ସେହି ପଡିଆରେ ଖେଳୁଥିଲେ । ଠିକ ସେହି ସମୟରେ କିଛି ପିଲା ଉକ୍ତ ପାଣି ଟାଙ୍କିର ପାହାଚ ଦେଇ ଉପରକୁ ଚଢ଼ି ଯାଇଥିଲେ । ଆଉ ସେହି ସମୟରେ ଟାଙ୍କି ଭିତରେ ଦୁଇଟି କଙ୍କାଳ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହି ସମସ୍ତ କଥାକୁ ପିଲାମାନେ ନିଜ ଘରେ ଜଣାଇଥିଲେ । ଏହାପରେ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଦେଖି ପୋଲିସ୍ କୁ ଖବର ଦେଇଥିଲେ । ଏହି ଘଟଣାଟି ସାରା ଗ୍ରାମରେ ପ୍ରସାର ହେଲା ପରେ ଏକ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ଯାଜପୁର ଏସ୍ପି ଓ ଏସ୍ଡିପିଓ ଗାଁରେ ପହଞ୍ଚିଥିଲେ । ପୋଲିସ ଏହି ଦୁଇଟି ନର କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହି ନରକଙ୍କାଳ ଓ ଖପୁରୀ ଗୁଡ଼ିକ କାହାର ଜଣାପଡ଼ିବ । ଯଦି ଏହା ନରକଙ୍କାଳ ହୋଇଥିବ , ତାହା ହେଲେ କାହାର ? ଆଉ ପାଣିଟାଙ୍କି ଭିତକୁ କେମିତି ଆସିଲା ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାଜପୁର ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ