ପୁରୀ : ଶ୍ରୀମନ୍ଦିରରେ ଚାଲିଛି ମହା ପଞ୍ଚୁକ ବ୍ରତ ନୀତି । ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଲକ୍ଷ୍ମୀନୃସିଂହ ବେଶ କରିବେ । ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି । ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି । ଏହି ବେଶରେ ଶ୍ରୀଜିଉ ଯେଉଁ ଚୂଳ ଧାରଣ କରନ୍ତି, ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ ବାଗିଆ ଲଗାଯାଇଥାଏ । ତେଣୁ ଏହି ବେଶକୁ ଆଡକିଆ ବେଶ ମଧ୍ୟ କୁହାଯାଏ ।ଏହି ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ  ପହଞ୍ଚିଛନ୍ତି । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । 
ସ୍କନ୍ଧ ପୁରାଣ ଅନୁଯାୟୀ, ମହାରାଜା ଇନ୍ଦ୍ରଦ୍ୟୁମ୍ନ ରତ୍ନସିଂହାସନ ଉପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ମହାପ୍ରଭୁ ନୃସିଂହ ବେଶରେ ତାଙ୍କୁ ଦର୍ଶନ ଦେଇଥିଲେ । ଏଣୁ କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏନେଇ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଅକ୍ସିଜେନ ରେସକ୍ୟୁ ୟୁନିଟ ବା ଏସଆରୟୁ ନିୟୋଜିତ ରହିବେ । ଏସଆରୟୁ ଟିମ୍ ପାଖରେ ଅକ୍ସିଜେନ କିଟ୍ ରହିଛି ।  ପ୍ରବଳ ଭିଡ଼ ଯୋଗୁଁ ଅଣନିଶ୍ବାସୀ ହୋଇପଡୁଥିବା ଶ୍ରଦ୍ଧାଳୁଙ୍କୁ ଏହି ଟିମ୍ ଉଦ୍ଧାର କରିବ ।