ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି ।  ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରଚାର ସହିତ ବୟାନବାଜି ମଧ୍ୟ ଜୋର ଧରିଛି । ନବୀନଙ୍କ ପ୍ରାର୍ଥୀ ଚୋରି ଅଭିଯୋଗର କାଉଣ୍ଟର୍ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଶ୍ୱାସଘାତର ଜବାବ ଦେବାପାଇଁ ନୂଆପଡ଼ାବାସୀ ପ୍ରସ୍ତୁତ ହେଉଛନ୍ତି ବୋଲି ପ୍ରଭାତୀ କହିଛନ୍ତି । 
ପ୍ରଭାତୀ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଲେଖିଛନ୍ତି, ବିଶ୍ୱାସଘାତକତା କ’ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା ! ନୂଆପଡା ବାସୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି । ଯିଏ ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ । ସେହିପରି ମିଛ ପ୍ରତିଶ୍ରୁତି ନୁହେଁ  ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡାବାସୀ । ଡବଲ ଇଂଜିନ, କ୍ୟାପଟେନ ଫିଟ -ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ । 
ଗତକାଲି ନବୀନ ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ । ଏହି ସମୟରେ ସେ ବିଜେପି ଉପରେ ପ୍ରାର୍ଥୀ ଚୋରିର ଅଭିଯୋଗ ଆଣିଥିଲେ । ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି । ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦଲା ନେବା । ଏ ସରକାରକୁ ୧୬ ମାସ ବିତି ସାରିଛି । ୧୬ ମାସର ବିଜେପି ସରକାରରେ କାମ ଜିରୋ ଏବଂ ବିକାଶ ପୂରା ଠପ୍ ହୋଇ ଯାଇଛି ଭଳି ଅନେକ ଅଭିଯୋଗ ଆଣିଥିଲେ ନବୀନ ।