ଭୁବନେଶ୍ୱର: ସୁଦାନରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସ ଦର୍ଫୁର ଅଲ-ଫାସିର ସହରକୁ ସମ୍ପୂର୍ଣ୍ଣ କବଜା କରିନେଇଛି । ତେବେ ସେଠାରେ କାମ କରୁଥିବା ଜଣେ ଓଡ଼ିଆ ଯୁବକଙ୍କୁ ବିଦ୍ରୋଦୀମାନେ ଅପହରଣ କରିନେଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଉକ୍ତ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ଗ୍ରାମର ଆଦର୍ଶ ବେହେରା । ବିଦ୍ରୋହୀମାନେ ତାଙ୍କର ଭିଡ଼ିଓ ମଧ୍ୟ ଜାରି କରିଛନ୍ତି । କିନ୍ତୁ ଏହା ପରେ ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ପରିବାର କହିଛି । 
ଆଦର୍ଶ ବେହେରା ଦୀର୍ଘ ୩ ବର୍ଷ ହେଲା ସୁଦାନର ଅଲ୍-ଫାସିରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସହର ଅଶାନ୍ତ ଯୋଗୁଁ କିଛି ଦିନ ହେଲା କମ୍ପାନୀ ବନ୍ଦ ରହିଥିଲା । ଏହା ପରେ ପୁଣି ଥରେ କମ୍ପାନୀ ଖୋଲିଥିଲା । ଆଦର୍ଶ କାମରେ ଯୋଗ ଦେବାକୁ ଯାଇଥିଲେ । ଏହି ସମୟରେ ବିଦ୍ରୋହୀମାନେ ତାଙ୍କୁ ଅପହରଣ କରିନେଥିଲେ । ବିଦ୍ରୋହୀମାନେ ତାଙ୍କର ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି । ଆଦର୍ଶ ଉକ୍ତ ଭିଡ଼ିଓକୁ ତାଙ୍କ ଘରକୁ ପଠାଇଛନ୍ତି । କିନ୍ତୁ ଏହା ପରେ ପରିବାର ଲୋକଙ୍କ ସହିତ ଆଉ କୌଣସି ସମ୍ପର୍କ କରିନାହାଁନ୍ତି । 
ଆଦର୍ଶ ବିବାହିତ ହୋଇଥିବାବେଳେ ତାଙ୍କର ପିଲା ମଧ୍ୟ ଅଛନ୍ତି । ଆଦର୍ଶଙ୍କୁ ଫେରାଇ ଆଣିବାକୁ ସ୍ତ୍ରୀ ସୁସ୍ମିତା ଏବଂ ବାପା ମାଆ ଗୁହାରୀ କରିଛନ୍ତି ।  ତେବେ ସରକାରଙ୍କ ପକ୍ଷରୁ ସୁଦାନରେ ଥିବା ଭାରତୀୟ ଦୂତାବାସକୁ ସୂଚିତ କରାଯାଇଥିବା ସୂଚନା ମିଳିଛି । ଏହା ସହିତ ଦିଲ୍ଲୀସ୍ଥିତ ସୁଦାନ ଦୂତାବାସରେ ଅବଗତ କରାଯାଇଛି । 
ପ୍ରକାଶ ଯୋଗ୍ୟ, ଆନ୍ତର୍ଜାତୀୟ ପ୍ରବାସ ସଂଗଠନ ଅନୁଯାୟୀ, ଅକ୍ଟୋବର ୨୬ ତାରିଖରୁ ୭୦,୦୦୦ ଲୋକ ଆଲ-ଫାସିର ଛାଡି ପଳାଇଛନ୍ତି ଏବଂ ପ୍ରାୟ ୨୦୦,୦୦୦ ଲୋକ ସହରରେ ଫସି ରହିଛନ୍ତି । ଏହା ସେହି ଦାର୍ଫୁର ଅଞ୍ଚଳ ଯେଉଁଠାରେ ୨୦୦୦ ମସିହାରେ ଜାତିଗତ ହିଂସା ଏବଂ ନରସଂହାର ଘଟିଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସେହି ସମୟର ଜାଞ୍ଜାୱିଦ ମିଲିସିଆରୁ ଆରଏସଏଫ ଜନ୍ମ ହୋଇଥିଲା।