ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ବିଲଡର୍ସ କମ୍ପାନୀ ଉତ୍କଳ ବିଲ୍ଡର୍ସ ଲିମିଟେଡର କାର୍ଯ୍ୟାଳୟରେ ବଡ଼ ଧରଣର ଚଢ଼ଉ ହୋଇଛି । ମଙ୍ଗଳବାର ସକାଳୁ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍ କରାଯାଉଛି । ଏଥିରେ ମୋଟ ୧୮ଟି ଟିମରେ ୧୨୦ ଆୟକର ଅଧିକାରୀ ସାମିଲ ହୋଇଛନ୍ତି । 
ଉତ୍କଳ ବିଲ୍ଡର୍ସ ସାରା ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏକାଧିକ ବିଲ୍ଡିଂ ରହିଛି । ଆଜି ଭୋର 4ଟା ସମୟରୁ ଆୟକର ବିଭାଗ ପକ୍ଷରୁ ଉତ୍କଳ ବିଲଡର୍ସର କାର୍ଯ୍ୟାଳୟ ସମେତ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ମହର୍ଷି କଲେଜ ନିକଟରେ ଥିବା ଉତ୍କଳ ବିଲ୍ଡର୍ସର ମୁଖ୍ୟ କାର୍ଯ୍ୟାଳୟ, କଳ୍ପନାରେ ଥିବା ଉତ୍କଳ ଗ୍ୟାଲେରିଆ ଏବଂ ରେସିଡେନ୍ସି, ପାହାଳରେ ଥିବା ରାଜ୍ୟର ଉଚ୍ଚତମ କୋଠା ଉତ୍କଳ ହାଇଟ୍ସ, ୟୁନିଟ 4 ରେ ଏକ ପ୍ରୋଜେକ୍ଟ ଏବଂ ସହିଦନଗର ଏକ ପ୍ରୋଜେକ୍ଟରେ ଯାଞ୍ଚ କରାଯାଉଛି । ସେହିପରି ମାଲିକ ସୁବାଷ ଭୁରାଙ୍କ ପୁଅ ରାକେଶ ଭୁରାଙ୍କର ସହିଦନଗରରେ ଥିବା ବାସଭବନରେ ଯାଞ୍ଚ ହେଉଛି । ଯାଞ୍ଚ ସମୟରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ନଗଦ ଟଙ୍କା ମିଳିଥିବା ଜଣାପଡ଼ିଛି । ଉତ୍କଳ ବିଲଡର୍ସ କୋଟି କୋଟି ଟଙ୍କା ଆୟକର ଫାଙ୍କି ଥିବା କୁହାଯାଉଛି । ତେବେ ଏ ନେଇ ଆଇଟି ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇ ନାହିଁ ।