ବ୍ର୍ରହ୍ମପୁର:  ପୋଲିସ ଏସଆଇ ପରୀକ୍ଷା ହେରଫେର ଘଟଣାରେ ଜେଲ୍ ଗଲେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସିଲିକନ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକ । ସୋମବାର ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି । 
ନିଯୁକ୍ତି ଦୁର୍ନୀତିରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କରଙ୍କୁ ପୁଲିସ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ । 
ଶଙ୍କର ଗିରଫ ହେବା ପରେ ଏହି ଦୁର୍ନୀତିରେ ପ୍ରାୟ ୧ ହଜାର କୋଟି ଟଙ୍କାର ଡିଲ୍ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଅଧିକ ଜେରା କରାଗଲେ ଏହି ମାମଲାରେ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ସେହିଭଳି ପୋଲିସ ଝଓ ସ୍କାଣ୍ଡାଲରେ ଗିରଫ ହୋଇଥିବା ଶଙ୍କର ପୃଷ୍ଟିର ସହଯୋଗୀ ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ।