ଭଦ୍ରକ: ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ଅପରାଧ । ଜଣେ ନାବାଳିକାକୁ ଅସଦାଚରଣ କରିବାରେ ବିଫଳ ହେବାରୁ ମରଣାନ୍ତକ ଆକ୍ରମଣ କରିଛି ଜଣେ ବ୍ୟକ୍ତି । ନାବାଳିକାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଗ୍ରାମବାସୀ ଉକ୍ତ ବ୍ୟକ୍ତିକୁ ଅଟକ ରଖିଛନ୍ତି ।
ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣକ ନିକଟସ୍ଥ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ବ୍ୟକ୍ତି ଜଣକ ତାକୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ନାବାଳିକାଟି ବିରୋଧ କରିବାରୁ ସେ ଏକ ପଥରରେ ନାବାଳିକାକୁ ଉକ୍ତ ବ୍ୟକ୍ତି ଜଣକ ଆକ୍ରମଣ କରିଥିଲା । ଝିଅଟି ଯନ୍ତ୍ରଣାରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଏହା ଶୁଣି ଧାଇଁ ଆସି ଝିଅଟିକୁ ଉଦ୍ଧାର କରିଥିଲେ । ଝିଅଟିର ନାକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାକୁ ପ୍ରଥମେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
ସେପଟେ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରି ଅଟକ ରଖିବା ପରେ ଆଗରପଡ଼ା ଥାନା ପୋଲିସ ଜିମା ଦେଇଛନ୍ତି । ପୋଲିସ ଉକ୍ତ ବ୍ୟକ୍ତିକୁ ପଚରାଉଚରା ଜାରି ରଖିଛି ।