ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁପାରୀ ଉମା ବିଶୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଗିରଫ । ଉଭୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଆତ୍ମସମର୍ପଣ ପରେ ଉଭୟଙ୍କୁ ଜେରା କରୁଛି ପୋଲିସ। ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ହତ୍ୟା ଘଟଣାର ପୂରା ପ୍ଲାନ କରିଥିବା ଉମା ବିଷୋୟୀ ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ । ସେମାନଙ୍କୁ ୮ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଗୁଳି କରିବାକୁ ୫ ଲକ୍ଷ ଓ ବାଇକ୍ ଚାଳକଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ରଖିଥିଲେ । ଅକ୍ଟୋବର ୬ ତାରିଖରେ ପୀତାମ୍ବରଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କ ନମସ୍କାର କରି ସେ ବୋଲି ସ୍ପଷ୍ଟ ହେବା ପରେ ଗୁଳି କରିଥିଲେ କୁରୁପତି ।
ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ବ୍ରହ୍ମପୁର ଏସ୍ପି କହିଥିଲେ ଯେ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା, ୧୦ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, କର୍ପୋରେଟର ମଳୟ ବିଷୋୟୀ ବି ଗିରଫ ହୋଇଛନ୍ତି । ବିକ୍ରମଙ୍କ ନିକଟତମ ସହଯାଗୀ ମଦନ ଦଳେଇ ଗିରଫ ହୋଇଛନ୍ତି । ଏଥିସହ ସୁଦର୍ଶନ ଜେନା, ଚିଣ୍ଟୁ ପ୍ରଧାନ, ଶିଶୁ କୁମାର ପାସୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ, ଯୋଗୀ ଦତ୍ତ, ଉମା ବିଷୋୟୀ, ଶିମାଞ୍ଚଳ ନାହାକ, ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର କୁମାର ସାହୁକୁ ପୋଲିସ୍ ଗିରଫ କରିଛି ।