ପୁରୀ: ସୋମବାର ଶ୍ରୀମନ୍ଦିରରେ ସୁରକ୍ଷା ଅନୁଧ୍ୟାନ କରିଛନ୍ତି ADG ସୌମେନ୍ଦ୍ର ପ୍ରିୟଦର୍ଶୀ। ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କଲେ । ଏହି ସମୟରେ ପୁରୀ ଏସପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବରୁ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି। ଯାହାକୁ ଦେଖିବାକୁ ପ୍ରବଳ ଭକ୍ତ ସମାଗମ ହୋଇଛି। ସୂଚନା ଥାଉକି ଗତକାଲି ପଞ୍ଚକର ପ୍ରଥମ ଦିନରେ ପ୍ରବଳ ଠେଲା ପେଲା ହୋଇଥିଲା । ଏପରିକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଧୈର୍ଯ୍ୟହରା ହେବା ପରେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ । ଆଉ କେତେକ ତଳେ ପଡ଼ି ଯାଇଥିଲେ । ପଞ୍ଚକର ବାକି ଦିନ ଯେପରି ସୁରୁଖୁରୁରେ ଦର୍ଶନ ହେବ ଏଡିଜି ତାର ସ୍ଥିତି ଯାଞ୍ଚ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି ।