ମୁମ୍ବାଇ: ଶେଫାଳୀ ବର୍ମା, ଆଇସିସି ମହିଳା ବିଶ୍ୱ କପ୍ ଫାଇନାଲର ନାୟିକା । ସାଉଥ ଆଫ୍ରିକା ବିପକ୍ଷରେ ୮୭ ରନ୍ କରି ଏବଂ ୨ଟି ୱିକେଟ୍ ନେଇ ଭାରତକୁ ବିଜୟୀ କରାଇଛନ୍ତି । କିନ୍ତୁ ଏହି ଶେଫାଳୀଙ୍କୁ ଦଳରେ ଚୂଡ଼ାନ୍ତ ସ୍ଥାନ ମିଳିନଥିଲା । ଏପରିକି ବିଶ୍ୱ କପ ଟୁର୍ଣ୍ଣାମେଣ୍ଟରୁ ସେ ଥିଲେ ବହୁତ ଦୂରରେ ।
ଶେଫାଳୀ ବର୍ମାଙ୍କ ଭାରତୀୟ ଟିମରେ ସୁଯୋଗ ମିଳି ନ ଥିଲା । ବୋଲର୍ ପ୍ରତୀକା ରାୱଲ ଆହତ ହେବା ପରେ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ଖୋଜାପଡ଼ିଥିଲା । ଆଉ ଶେଫାଳୀଙ୍କ ନାଁକୁ ଚୟନ କରାଯାଇଥିଲା । ସେମିଫାଇନାଲ ପୂର୍ବରୁ ଶେଫାଳୀ ମୁମ୍ବାଇର ଡିୱାଇ ଷ୍ଟାଡିୟମରେ ଏବଂ ୟୁନିଭର୍ସିଟି ପଡ଼ିଆରେ ମାତ୍ର ଏକ ଏକ ଘଣ୍ଟାର ଦୁଇଟି ଅଭ୍ୟାସ କରିବାକୁ ସୁଯୋଗ ମିଳିଥିଲା । ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୧୦ ରନ୍ କରିପାରିଥିଲେ । କିନ୍ତୁ ଫାଇନାଲରେ ଦେଖାଇଥିଲେ ନିଜର ଶକ୍ତି । ୭୮ ବଲରେ ୮୭ ରନ୍ କରି ଭାରତର ସ୍କୋରକୁ ମଜବୁତ ସ୍ଥିତିକୁ ଆଣିଥିଲେ । ପୁଣି ଯେତେବେଳେ ଶେଫାଳୀଙ୍କୁ ବୋଲିଂ ପାଇଁ ଦିଆଯାଇଥିଲା ସେତେବେଳେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । କାରଣ ସେତେବେଳେ ମଇଦାନରେ ଥିଲା ସାଉଥ ଆଫ୍ରିକା କ୍ୟାପଟେନ୍ ଲୋରା ବୋଲ୍ବାର୍ଟ ଏବଂ ସୁନେ ଲୁସ୍ । ଶେଫାଳୀ ପ୍ରଥମେ ଲୁସଙ୍କ ୱିକେଟ୍ ନେଇ ଦୁଇ ଜଣଙ୍କ ଯୋଡ଼ି ଭାଙ୍ଗି ଥିଲେ ଏବଂ ପରେ କ୍ୟାପଙ୍କ ୱିକେଟ୍ ନେଇଥିଲେ । ଏହା ସହିତ ବୋଲିଂ ବେଳେ ୭ ଓଭରରେ ମାତ୍ର ୩୬ ରନ୍ ଦେଇ ୨ଟି ଗୁରୁତ୍ୱ ପୂର୍ଣ୍ଣ ୱିକେଟ୍ ନେଇଥିଲେ ।
ସେମିଫାଇନାଲ ପୂର୍ବରୁ ଶେଫାଳୀ ଗଣମାଧ୍ୟମକୁ କହିଥିଲେ, ପ୍ରତୀକା ସହିତ ଯାହା ହେଲା, କିଛି ଠିକ୍ ହେଲା ନାହିଁ । କେହି ଚାହାଁନ୍ତି ନାହିଁ କି ଖେଳାଳି ଆହତ ହୁଅନ୍ତୁ । କିନ୍ତୁ ମୋତେ ପଠାଇଛନ୍ତି ମାନେ କିଛି ଭଲ କାମ ପାଇଁ ପଠାଇଥିବେ ।
ସେହିପରି କ୍ୟାପଟେନ୍ ହରମନପ୍ରୀତ ମଧ୍ୟ କହିଥିଲେ, ପ୍ରତୀକାଙ୍କ ଅନୁପସ୍ଥିତି ଅନୁଭବ ହେଉଛି । କିନ୍ତୁ ଶେଫାଳୀ ବହୁତ ଘରୋଇ ମ୍ୟାଚରେ ଭଲ ବୋଲିଂ କରୁଛନ୍ତି । ତେଣୁ ଯେତେବେଳେ ଶେଫାଳୀଙ୍କୁ ପଚରାଯାଇଥିଲା ସେ ୧୦ ଓଭର୍ ପର୍ଯ୍ୟନ୍ତ ବୋଲିଂ କରିପାରିବେ ବୋଲି କହିଥିଲେ ।