ବାଲେଶ୍ୱର: ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀକୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକ ଅଟକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଶିକ୍ଷକ ବାରମ୍ବାର ଅସଦ।ଚରଣ କରିଥିବା ନେଇ ପରିବାର ପକ୍ଷରୁ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ମାତ୍ର ସୁଫଳ ନ ମିଳିବାରୁ ପୀଡିତା ମା ଜଳେଶ୍ୱର ଥାନାରେ ଲିଖିତ ଏତଲା ଦାଖଲ କରିଛନ୍ତି । ଏତଲା ପାଇବା ପରେ ଜଳେଶ୍ୱର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଧରିଛି । ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସହ ଆବଶ୍ୟକ ଆଇନଗତ ପ୍ରକ୍ରିୟା ମଧ୍ୟ ଚାଲିଥିବା ସୂଚନା ମିଳିଛି । ଘଟଣା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ଦେଖା ଦେଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।