ଭୁବନେଶ୍ୱର: ପୁଣି ଏକ ନୂଆ ଉପାଖ୍ୟାନ ନେଇ ଆସିଛନ୍ତି ପୂର୍ବତନ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର । ଏଥର ଟାର୍ଗେଟରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ । ଶକ୍ତି ନାନୀ କହି ସୁଜାତାଙ୍କୁ ବାଣ ମାରିଛନ୍ତି ଶ୍ରୀମୟୀ । ସୁଜାତା ଏବେ ରାଜ୍ୟ ସଭପାଇଁ ପ୍ରସ୍ତୁତ ହେଉଥିବା ସାମାଜିକ ଗଣମାଧ୍ୟମରେ ଲେଖଛନ୍ତି ଶ୍ରୀମୟୀ । ଆଉ ଟାଇଟାନିକୁ ଅର୍ଥାତ୍ ବିଜେଡ଼ିକୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା ପ୍ରସ୍ତୁତ କରାଯାଉଥିବା ଇଙ୍ଗିତ କରିଛନ୍ତି ଶ୍ରୀମୟୀ ମିଶ୍ର । 
ଶ୍ରୀମୟୀ ପୋଷ୍ଟ କରିଛନ୍ତି, “ଟାଇଟାନିକକୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା । ସେ ନାଁ ନେଇ ସଜାତା ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ଶ୍ରୀମୟୀ କହିଛନ୍ତି ଶକ୍ତି ନାନୀ (ସୁଜାତା ପାଣ୍ଡିଆନ) କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ”। 
ଶକ୍ତି ନାନୀ ନୂଆ ପରିଚୟ ଖୋଜିବାରେ ଲାଗିପଡ଼ିଛନ୍ତି । ସେ ଆହୁରି ଲେଖିଛନ୍ତି, “କେନ୍ଦ୍ରାପଡ଼ାରେ ବାପଘର । ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି , ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ”। ନୂଆପଡ଼ାରେ ମାମୁଁ ଘରର ଅର୍ଥ ହେଉଛି, ବିଜେଡ଼ିର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ କଥା କୁହାଯାଉଛି । ସେହିପରି ସୁଜାତା ପାଣ୍ଡିଆନଙ୍କ ପ୍ରକୃତ ଘର ହେଉଛି କେନ୍ଦ୍ରାପଡ଼ାରେ, କିନ୍ତୁ ସେ ଜାମସେଦପୁରରେ ବଢ଼ିଛନ୍ତି । 
ଶ୍ରୀମୟୀ ଆହୁରି କହିଛନ୍ତି, “ଅବଶ୍ୟ ବିଭାଗବିହିନ ନାନୀ ସୁଭଦ୍ରା ମାଆମାନଙ୍କୁ ଛୁଇଁ ପାରୁନାହାନ୍ତି। କିନ୍ତୁ ନିର୍ବାଚନ ପରେ କୁଆଡେ ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି ବୋଲି ନୂଆପଡ଼ାରେ ଡେରା ପକାଇଥିବା ତାଙ୍କର କିଛି ହାତଗଣତି ଚାଟୁକାର ଉତ୍ସାହିତ ଅଛନ୍ତି। ହସ୍ପିଟାଲରୁ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ଏହି ଚାଟୁକାର ବରିଷ୍ଠ ନେତାମାନେ, ଶକ୍ତିନାନୀଙ୍କ ଚାଟଶାଳୀରେ ଟ୍ୟୁସନ୍ ହେଉଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ। ଦେଖାଯାଉ ଓଡ଼ିଶା ଲୋକେ ତାମିଲ ପୁଅକୁ (ଭିକେ ପାଣ୍ଡିଆନ) ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ଅବଶ୍ୟ ନବୀନବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତାହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ? ତେବେ ଶ୍ରୀମୟୀଙ୍କ ଏହି ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ ପ୍ରସଙ୍ଗରେ ଅନୁମାନ କରାଯାଉଛି ଯେ ଆଗାମୀ ଦିନରେ ପାଣ୍ଡିଆନ ଦମ୍ପତ୍ତି ବିଜେଡ଼ିରେ ସାମିଲ ହୋଇପାରନ୍ତି । 
ଏହା ସହିତ ଶ୍ରୀମୟୀ ବିଜେଡ଼ି କର୍ମୀଙ୍କ ପାଇଁ ଏକ ପ୍ରଶ୍ନ ଛାଡ଼ିଛନ୍ତି । ସେ ଲେଖିଛନ୍ତି, “ଏ ପ୍ରଶ୍ନ ନୂଆପଡ଼ାରେ ମୁଖିଆଙ୍କ ଗସ୍ତରୁ ଆରମ୍ଭ ହେବ ବୋଲି ଆଶା। ଯେଉଁ କର୍ମୀମାନେ ଦୀର୍ଘ ଦଶନ୍ଧି ହେଲା ନିଜର ସମୟ ଓ ଶ୍ରମ ଦେଇଛନ୍ତି, ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ଶେଷରେ ସେମାନେ କ'ଣ ଅଣଓଡିଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ? ପ୍ରଶ୍ନର ଉତ୍ତର ଓ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି”।