ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ଆଉ ଝଟକା ଲାଗିବାକୁ ଯାଉଛି । ଦଳ ବରିଷ୍ଠ ନେତା ତଥା ବିଜେଡ଼ି ଆଇଟି ସେଲ୍ ଅଧ୍ୟକ୍ଷ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପି ମୁହାଁ ହୋଇଛନ୍ତି । ଅମର ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବହୁ ପ୍ରମୁଖ ନେତା ଏବଂ କର୍ମୀ ବିଜେଡି ଛାଡ଼ି ପାରନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ଦଳରେ ଯୋଗ ଦେବାର ସମ୍ଭାବନା ରହିଛି ।
୨୯ ଅଗଷ୍ଟ, ୨୦୧୮ରେ ପୂର୍ବତନ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଅମର ପଟ୍ଟନାୟକ ବିଜେଡିରେ ଯୋଗ ଦେଇଥିଲେ । ଏହା ପରେ ସେ ବିଜେଡ଼ି ଆଇଟି ସେଲର ଅଧ୍ୟକ୍ଷଭାବେ ନିଯୁକ୍ତି ହେବା ସହିତ ମୁଖପାତ୍ର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ଜୁନ୍ ୨୮, ୨୦୧୯ରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା ।