ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ହୋଇଛନ୍ତି ତେଲେଙ୍ଗାନାର ମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ ନେତୃତ୍ୱରେ ତେଲେଙ୍ଗାନା ସରକାରଙ୍କ କ୍ୟାବିନେଟରେ ଆଝାରୁଦ୍ଦିନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । 
ତେଲେଙ୍ଗାନା ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ମହମ୍ମଦ ଆଜାରୁଦ୍ଦିନଙ୍କୁ ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତି ଥିଲେ । ପୂର୍ବତନ ଭାରତୀୟ କ୍ରିକେଟର ଆଝାରୁଦ୍ଦିନଙ୍କ ଯୋଗଦାନ ସହିତ ରେଡ୍ଡିଙ୍କ ମନ୍ତ୍ରୀମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି । ଆଉ ଦୁଇଜଣ ସଦସ୍ୟ ଯୋଗ ଦେବାର ଆଶା କରାଯାଉଛି। ତେଲେଙ୍ଗାନା ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଅନୁସାରେ, ୧୮ ଜଣ ମନ୍ତ୍ରୀ ରହିପାରିବେ ।
ଗତ ଅଗଷ୍ଟ ମାସରେ ତେଲେଙ୍ଗାନା ସରକାର ରାଜ୍ୟପାଳ କୋଟା ଅଧୀନରେ ଆଝାରୁଦ୍ଦିନଙ୍କୁ ବିଧାନ ପରିଷଦ (ଏମଏଲସି) ସଦସ୍ୟ ଭାବରେ ମନୋନୀତ କରିଥିଲେ । ତଥାପି, ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ଏପର୍ଯ୍ୟନ୍ତ ନିଯୁକ୍ତିକୁ ଅନୁମୋଦନ କରିନାହାଁନ୍ତି । ଆଝାରୁଦ୍ଦିନ ଜୁବିଲି ହିଲ୍ସ ବିଧାନସଭା ନିର୍ବାଚନମଣ୍ଡଳୀରୁ  ୨୦୨୩ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରିଯାଇଥିଲେ। 
ପୂର୍ବତନ କ୍ରିକେଟରଙ୍କୁ ମନ୍ତ୍ରୀଭାବେ ନିଯୁକ୍ତି ପାଇବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି । କାରଣ କଂଗ୍ରେସ ଦଳ ସକ୍ରିୟ ଭାବରେ ଜୁବିଲି ହିଲ୍ସ ଉପନିର୍ବାଚନ ପାଇଁ ପ୍ରୟାସ କରୁଛି, ଯେଉଁଠାରେ ୧ ଲକ୍ଷରୁ ଅଧିକ ମୁସଲିମ ଭୋଟର ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ । ବିଆରଏସ ବିଧାୟକ ମାଗନ୍ତି ଗୋପୀନାଥଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଛି । ଏହି ଆସନରେ ଉପନିର୍ବାଚନ ହେବ ।