ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ସମେତ ଅନେକ ବରିଷ୍ଠ ନେତା ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଚାରରେ ଜୁଟିଛନ୍ତି । ମହାମେଣ୍ଟରୁ ତେଜସ୍ୱୀ ଯାଦବ ବହୁତ ସକ୍ରିୟ ଥିଲେ ହେଁ ସେ ମଇଦାନରେ ଏକାକୀ ନଜର ଆସୁଛନ୍ତି । କାରଣ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ପ୍ରଚାରରୁ ଦୂରରେ ଅଛନ୍ତି । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ବିହାରରେ ତାଙ୍କୁ ଦେଖିବାକୁ ମିଳିନି । ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ, ରାହୁଲ ବିହାର ନିର୍ବାଚନ ପରିବର୍ତ୍ତେ କେଉଁଠି ବ୍ୟସ୍ତ ଅଛନ୍ତି । ତାଙ୍କର ବିହାରରୁ ଦୂରେଇ ରହିବା ସଂଯୋଗ ନା କୌଣସି ପ୍ରୟୋଗ । ଯେଉଁ ଆଧାରରେ ସେ ପ୍ରଚାର କରୁ ନାହାନ୍ତି ।
ଋାହୁଲ ଗାନ୍ଧୀ ଶେଷ ଥର ସେପ୍ଟେମ୍ବର ୧ରେ ବିହାର ଆସିଥିଲେ । ସେହି ସମୟରେ ସେ ଭୋଟ ଚୋରିର ଅଭିଯୋଗ କରି ଭୋଟ୍ ଅଧିକାର ଯାତ୍ରାରେ ସାମିଲ୍ ହୋଇଥିଲେ । ଏହା ପରଠୁ ସେ ରାଜ୍ୟରୁ ଗାଏବ ଅଛନ୍ତି । କଂଗ୍ରେସ ରାଜ୍ୟରେ ୬୧ ସିଟରେ ପ୍ରାର୍ଥୀ ଦେଇଛି ଏବଂ ଆରଜେଡି ଏକାକୀ ୧୪୩ ଆସନରେ ନିର୍ବାଚନ ଲଢୁଛି । ରାହୁଲ ଗାନ୍ଧୀ ଯେବେ ଆସିଥିଲେ, ସେହି ସମୟରେ ନା ସିଟ୍ ବଣ୍ଟନ ହୋଇଥିଲା ନା ପ୍ରାର୍ଥୀ ଉପରେ କୌଣସି ନିଷ୍ପତ୍ତି ହୋଇଥିଲା । ଏମିତିରେ ଏବେ ସେ ନିର୍ବାଚନରୁ ଗାଏବ ରହିବା କଂଗ୍ରେସ ମହଲରେ ମଧ୍ୟ ପ୍ରଶ୍ନ ଉଠିଛି । ଆରଜେଡିର ସୂତ୍ର ଅନୁସାରେ ଏହା ପଛରେ ବୋଧହୁଏ କୌଣସି ରଣନୀତି ଥିବ । କଂଗ୍ରେସର କିଛି ଲୋକ ମଧ୍ୟ ଏମିତି ରଣନୀତିକୁ ସ୍ୱୀକାର କରିଛନ୍ତି ।
ଲାଇଭ ମିଣ୍ଟ ସହ ଆଲୋଚନାରେ ସୀମାଞ୍ଚଳରେ ୟୁପିର ଜଣେ କଂଗ୍ରେସ ନେତା କହିଛନ୍ତି, ରାହୁଲ ଗାନ୍ଧୀ ଯେବେ ପ୍ରଚାର ମଇଦାନକୁ ଓହ୍ଲାନ୍ତି ତାହା ସର୍ବଦା ରାହୁଲ ବନାମ ନରେନ୍ଦ୍ର ମୋଦୀ ହୋଇଯାଏ । ଏମିତି ସ୍ଥିତିରେ ପିଏମ ମୋଦୀଙ୍କ ପଲ୍ଲା ଭାରି ହୋଇଯାଏ, କାରଣ ସେ ଦେଶର ବଡ ନେତା । ଏମିତିରେ ବିହାର ନିର୍ବାଚନରେ ପାର୍ଟି ତେଜସ୍ୱୀ ବନାମ ନୀତିଶ ହିଁ ରଖିବାକୁ ଚାହାନ୍ତି । ଏଥିପାଇଁ ରାହୁଲ ଗାନ୍ଧୀ ସଂପ୍ରତି କ୍ୟାମ୍ପେନରୁ ଦୂରରେ ଅଛନ୍ତି । ସେ ପ୍ରଚାରକୁ ଆସିବେ କିନ୍ତୁ ସେତେ ସକ୍ରିୟ ନଜର ଆସିବେ ନାହିଁ । ତାଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ କିଛି ଦିନ ପ୍ରଚାର କରିବେ, ମାତ୍ର ମୁଖ୍ୟ ଦାୟିତ୍ୱ ତେଜସ୍ୱୀ ଯାଦବଙ୍କ ହାତରେ ରହିବ । ଏଥିପାଇଁ ତ ମହାମେଣ୍ଟ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି ।
Also read: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ନ୍ୟାୟଧୀଶ ସୂର୍ଯ୍ୟକାନ୍ତ