ପାଟନା: ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ପକ୍ଷରୁ ବଡ ଘୋଷଣା । ତେଜସ୍ୱୀ ଯାଦବ ମହାମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ପାଟନାରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି । ଏହା ସହ ପଛୁଆ ସମାଜର ନେତା ମୁକେଶ ସହନୀ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ଏହି ଘୋଷଣା ସହ ଗେହଲଟ୍ କହିଛନ୍ତି, ଆମେ ଲୋକପ୍ରିୟ ଯୁବ ନେତା ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରୁଛୁ । ଆଉ ସରକାର ଗଠନ ହେଲେ ମୁକେଶ ସହନୀ ଉପମୁଖ୍ୟମନ୍ତ୍ରୀ ହେବେ । ଏହି ବଡ ଘୋଷଣା ସହ ମହାମେଣ୍ଟରେ ଚାଲିଥିବା ଟଣାଓଟରା ସମାପ୍ତ କରିବାକୁ ଉଦ୍ୟମ ହୋଇଛି ।
କଂଗ୍ରେସ ଦୀର୍ଘ ସମୟରୁ ତେଜସ୍ୱୀ ଯାଦବଙ୍କ ନାଁ ଉପରେ ସହମତି ଦେଉ ନ ଥିଲା । ରାହୁଲ ଗାନ୍ଧୀ ମଧ୍ୟ ଭୋଟର ଅଧିକାର ଯାତ୍ରା ସମୟରେ ଏହି ପ୍ରସଙ୍ଗ ଉପରେ ନିରବ ରହିଥିଲେ । ଆରଜେଡି ଉଚିତ୍ ସମୟକୁ ଅପେକ୍ଷା କରିଥିଲା ଏବଂ ଭୋଟିଂର ଠିକ୍ ଦୁଇ ସପ୍ତାହ ପୂର୍ବରୁ ଏମିତି ରାଜନୈତିକ ଗୋଟି ଚଳାଇଛି ଯେ, କଂଗ୍ରେସ ଚିତପଟାଙ୍ଗ ହୋଇଛି । ଏହା ପୂର୍ବରୁ ଖବର ଆସିଥିଲା ଯେ, କଂଗ୍ରେସ ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଚୟନ କରିବ ।
ପାଟନାରେ ଗୁରୁବାର ମହାମେଣ୍ଟର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ପାର୍ଟି ପକ୍ଷରୁ ନିଜର ମତାମତ ରଖିଛନ୍ତି । ଗେହଲଟ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି କହିଛନ୍ତି, ତେଜସ୍ୱୀ ଗତ ନିର୍ବାଚନରେ ମଧ୍ୟ କମାଲ କରିଥିଲେ । ମାତ୍ର କିଛି ଭୋଟରୁ ତାଙ୍କ ସରକାର ଗଠନ ହୋଇ ପାରି ନ ଥିଲା ।
ଉଲ୍ଲେଖନୀୟ ବିହାର ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ସମୟରେ ମହାମେଣ୍ଟରେ କଳହ ଖୋଲାଖୋଲି ସାମ୍ନାକୁ ଆସିଥିଲା । କିଛି ସିଟରେ ସହଯୋଗୀ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇ ସାମ୍ନାସାମ୍ନି ଆସିଥିଲେ । ସୁଲତାନଗଞ୍ଜ, କହଲଗାଓଁ, ବୈଶାଳୀ ସମେତ କିଛି ସିଟରେ କଂଗ୍ରେସ ଓ ଆରଜେଡି ଉଭୟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଏହି ସବୁ କାରଣରୁ ମହାମେଣ୍ଟରେ ଆଭ୍ୟନ୍ତରୀଣ କନ୍ଦଳ ବଢି ଚାଲିଥିଲା । ବିଶେଷ କରି କଂଗ୍ରେସ ଓ ଆରଜେଡି ମଧ୍ୟରେ ସିଟ୍ ବଣ୍ଟନ ନେଇ ଟଣାଓଟରା ବଢିବା ପରେ ଅଶୋକ ଗେହଲଟଙ୍କୁ ସମାଧାନ ପାଇଁ ପାଟନା ପଠାଯାଇଥିଲା । ଗେହଲଟ ପାଟନା ଆସିବା ପୂର୍ବରୁ ବୁଧବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲ । ଏହି ସାକ୍ଷାତ ପରେ ସେ କିଛି କହି ନ ଥିଲେ ହେଁ କେବଳ ଗୁରୁବାର ମହାମେଣ୍ଟର ମିଳିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯିବ ବୋଲି କହିଥିଲେ ।