ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ମଇଦାନରେ ପ୍ରଚାର ଚରମରେ ପହଞ୍ଚିଛି । ନାମାଙ୍କନ ପତ୍ର ଦାଖଲ ପରେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ସରିଛି । ମୋଟ୍ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । ଫଳରେ ମଇଦାନରେ ଏବେ ୧୪ ଜଣ ପ୍ରାର୍ଥୀ ଅଛନ୍ତି ।
ରିଟର୍ଣ୍ଣିଂ ଅଫିସରଙ୍କ ଅନୁଯାୟୀ, ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଓ ଭୁଜବଳ ଆଡବଙ୍ଗାଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । ଏହା ପରେ ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ଓଡିଶା ଜନତା ଦଳର ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ କାଏମ ରହିଛି ।
ଉଲ୍ଲେଖନୀୟ ଗତକାଲି ନୂଆପଡାରେ ବିଜେପିର ବଡ ମିଶ୍ରଣ ପର୍ବ ହୋଇଥିଲା । ଏଥିରେ ଭୁଜବଳ ଆଡବଙ୍ଗା ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ଯାହାଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଛି । ଏହି ମିଶ୍ରଣ ପର୍ବରେ ଅନେକ ନେତା ଓ କର୍ମୀ ମିଶିବାରୁ ବିଜେପିର ଶକ୍ତି ବୃଦ୍ଧି ହୋଇଛି । ଖାସ କରି ଏହି ଉପନିର୍ବାଚନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ନୂଆପଡା ଉପନିର୍ବାଚନ ପାଇଁ ନଭେମ୍ବର ୧୧ରେ ମତଦାନ ହେଉଥିବା ବେଳେ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି । ଆଉ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ନିକଟରେ ୧୭ ଦିନ ରହିଛି ।
Also read: ୨୪ରେ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା !