ନୂଆଦିଲ୍ଲୀ: ଫିନଲାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡାର  ଷ୍ଟବ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସାମିଲ୍ କରାଯିବା ନେଇ ଯୁକ୍ତି   ବାଢିଛନ୍ତି । ଏହା ସହ ଚେତାଇ ଦେଇଛନ୍ତି ଯେ, ଯଦି ଭାରତକୁ ୟୁଏନଏସସିରେ ସାମିଲ୍ କରା ନ ଯାଏ ତେବେ ୟୁଏନ ଦୁର୍ବଳ ହୋଇ ଚାଲିବ । ବୈଶ୍ୱିକ ସ୍ଥିରତା ଓ ବିକାଶରେ ଭାରତର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉଲ୍ଲେଖ କରିଛନ୍ତି ।
ଷ୍ଟବ କହିଛନ୍ତି, ମୁଁ ଭାରତର ବହୁତ ବଡ ପ୍ରଶଂସକ ଏବଂ ମୋତେ ଲାଗୁଛି ଆମେରିକା ଓ ଚୀନ ସହିତ ଭାରତ ପରବର୍ତ୍ତୀ ସୁପର ପାୱାର ହେବ । ପ୍ରଧାନମନ୍ତ୍ରୀ ମୋଦୀ ହୁଅନ୍ତୁ ଅବା ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଭାରତ ଆଜି ଯାହା କରୁଛି ସେଥିରେ ରଣନୈତିକ ଚିନ୍ତାଧାରା ଝଲସି ଉଠୁଛି । ଏଥିରେ ସମଗ୍ର ଦୁନିଆରେ ଭାରତକୁ ସମ୍ମାନ ମିଳୁଛି ।
ସେ ଏହା ମଧ୍ୟ କହିଛନ୍ତି, ମୁଁ ମହାସଭାରେ ଦୁଇ ଥର ଏହି ପ୍ରସଙ୍ଗ ଉଠାଇ ସାରିଲିଣି । ମିଳିତା ଜାତିସଂଘ ସୁରକ୍ଷା ପରିଷଦର ବିସ୍ତାର ହେବା ଉଚିତ୍ । ଏହାର ସଦସ୍ୟତା ଅନ୍ତତଃ ଦୁଇ ଗୁଣା ହେବା ଉଚିତ୍ । ଏହା ବହୁତ ଭୁଲ ଯେ, ଭାରତ ପରି ଦେଶ ସୁରକ୍ଷା ପରିଷଦରେ ନ ରହିବ । ସେ ପ୍ରସ୍ତାବ ଦେଇଛନ୍ତି ଯେ, ଲାଟିନ ଆମେରିକାରୁ ଗୋଟିଏ, ଆଫ୍ରିକାରୁ ଦୁଇଟି ଏବଂ ଏସିଆରୁ ଦୁଇଟି ସଦସ୍ୟଙ୍କୁ ୟୁଏନଏସସିରେ ସାମିଲ୍ କରାଯିବା ଉଚିତ୍ । 
Also read: ମୁଁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିବାରୁ ମୋ ସହ କଣ ହେଲା ଜାଣିଛନ୍ତି, ଥରୁରଙ୍କୁ ଚେତାଇଲେ ବିଜେପି ନେତା