ନୂଆପଡ଼ା: ପୂର୍ବତନ ବିଜେଡ଼ି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ନୂଆପଡ଼ା ଉପନିର୍ବାଚନରେ ବିଜେପି ପକ୍ଷରୁ ଲଢ଼ୁଥିବା ଜୟ ଢୋଲକିଆ ତାଙ୍କ ମନର କ୍ଷୋଭ ପ୍ରକାଶ କରିଛନ୍ତି । ସାରା ଜୀବନ ଗୋଟିଏ ଦଳ ପାଇଁ ସମର୍ପିତ ଥିବା ବାପାଙ୍କୁ ଶେଷ ମୁହୁର୍ତ୍ତରେ କେହି ପଚାରିଲେ ନାହିଁ । ଦଳର ସଭାପତି ମାସକ ପରେ ଭୋଟ୍ ମାଗିବାକୁ ଆସୁଛନ୍ତି, କିନ୍ତୁ ଏକାଦଶରେ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଲେ ନାହିଁ ବୋଲି କ୍ଷୋଭର ସହ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଜୟ । 
ଗତକାଲି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିବା ପରେ ଜୟ ମଙ୍ଗଳବାର ସକାଳୁ ସକାଳୁ ଦୁଃଖ ସମୟରେ କିପରି ସମସ୍ତେ ହାତ ଛାଡ଼ି ଦେଇଥିଲେ ତାହା ବଖାଣିଛନ୍ତି । ଜୟ କହିଛନ୍ତି ଯେ ନବୀନ ବାପା ତୁଲ୍ୟ । ତେଣୁ ତାଙ୍କ ରଣନୀତି ଉପରେ ପଦୁଟିଏ ବି କହିବେ ନାହିଁ । ଖାଲି ଏତିକି କହିଛନ୍ତି,  ତାଙ୍କ ବାପା ସାରା ଜୀବନ ବିଜେଡ଼ି ପ୍ରତି ସମର୍ପିତ ଥିଲେ । କିନ୍ତୁ ଦଳ ଏକ ପ୍ରତିଶତ ମଧ୍ୟ ସମର୍ପିତ ନ ଥିଲା । ଯେତେବେଳେ ସେ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଥିଲେ ସେତେବେଳେ ସେମାନେ ଅଣଦେଖା କରିଥିଲେ । ଶେଷ ମୁହୁର୍ତ୍ତରେ ସଭାପତି ଦେଖା କରିବା ତ ଦୂରର କଥା ଥରେ ଫୋନ କରି ମଧ୍ୟ ପଚାରିଲେ ନାହିଁ । ଖାଲି ସେତିକି ନୁହେଁ ଏକାଦଶରେ ଶ୍ରଦ୍ଧାଞ୍ଜଳି ଦେବାକୁ ମଧ୍ୟ ଆସି ନ ଥିଲେ । କିନ୍ତୁ ଏବେ ମାତ୍ର ଏକ ମାସ ପରେ ନିର୍ବାଚନରେ ଭୋଟ୍ ମାଗିବାକୁ ଆସୁଛନ୍ତି । 
ସେହିପରି ତାଙ୍କୁ ଖରାପ ପୁଅର ସାର୍ଟିଫିକେଟ୍ ଦେବାକୁ ବିଜେଡ଼ି କିଏ, ଜୟ ପ୍ରଶ୍ନ କରିଛନ୍ତି । ପରିବାରରେ ତାଙ୍କୁ ଆଜି କେହି କିଛି କହିନାହାଁନ୍ତି । ତେଣୁ ବିଜେଡ଼ି କଣ କହୁଛି, ସେଥିପ୍ରତି ସେ ଭ୍ରୁକ୍ଷେପ କରି ନାହାଁନ୍ତି । 
ସେପଟେ ବିଜେଡ଼ି ନେତା ସଞ୍ଜୟ ଦାସବର୍ମା ଜୟଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି । ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ହେବା ପରେ ନବୀନ ନିରନ୍ତର ଯୋଗାଯୋଗରେ ଥିଲେ । ଦେହାନ୍ତ ପରେ ରାଜେନ୍ଦ୍ର ଢୋଲକିଆଙ୍କ ପାର୍ଥିବଶରୀର କିପରି ନୂଆପଡ଼ାରେ ପହଁଚିବ, ସେଥିପାଇଁ ନବୀନ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । ଚାଟାର୍ଡ୍ ଫ୍ଲାଇଟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏବେ ରାଜନୈତିକ ପଟ ପରିବର୍ତ୍ତନ ପଛରେ ଡିଲ୍ ହୋଇଥିବା ଅଭିଯୋଗ ଲଗାଇଛନ୍ତି ସଞ୍ଜୟ ଦାସବର୍ମା ।