ପାରାଦୀପ : ଆଜିଠାରୁ ଆରମ୍ଭ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ। ପାରାଦୀର ସମୁଦ୍ର ବେଳାଭୂମିରେ ମହୋତ୍ସବ ପାଇଁ ପ୍ରସ୍ତୁତି ସରିଛି। ଆଜି ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏନେଇ  ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଆଜିଠାରୁ ଆସନ୍ତା ୧୦ ତାରିଖ ଯାଏଁ ଆୟୋଜିତ ହେବ କଳିଙ୍ଗ ବାଲିଯାତ୍ରା। 
ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ସାଇବର ଅପରାଧ ସଚେତନତା ଅଭିଯାନ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ସଦନ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୋଲିସ ଡିଆଇଜି ସତ୍ୟଜିତ ନାୟକ ଯୋଗଦେଇ ସାଇବର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୋଲିସ ଡିଆଇଜିଙ୍କ ସମେତ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ, ଆରକ୍ଷୀ ଅଧିକ୍ଷକ (ଏସପି) ଅଙ୍କିତ ବର୍ମା ପ୍ରମୁଖ ଯୋଗଦେଇ ଆଇନ ପରିସ୍ଥିତି ସମୀକ୍ଷା କରି ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ସାଧାରଣରେ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଓ ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ ସଫଳତାର ସହ ପରିଚାଳନା କରିଥିଲେ l