ଭୁବନେଶ୍ୱର: ଆଜିକାଲି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ମହିଳା । ସେ ପୁଣି କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀ ଛାତି ଉପରେ । ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ମା ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର । 
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ମା'-ଝିଅ ବସ୍ ପାଇଁ ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଉଭୟ ବସଷ୍ଟାଣ୍ଡର ୱେଟିଂ ରୁମରେ ଶୋଇଥିଲେ । ଏହି ସମୟରେ ଅଭିଯୁକ୍ତ ପବିତ୍ର କହଁରର ଲୋଲୁପ ଦୃଷ୍ଟି ପଡ଼ିଥିଲା । ସେ ମା-ଝିଅଙ୍କୁ ଟଣାଓଟରା କରିଥିଲା । ଏହି ସମୟରେ ଉଭୟ ପାଟିତୁଣ୍ଡ କରିବାରୁ ଅଭିଯୁକ୍ତ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା । ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତାକୁ ଅଟକ ରଖି ପଚରାଉଚରା କରାଯାଉଛି । 
ଅନ୍ୟପକ୍ଷରେ ବରମୁଣ୍ଡା ବସଷ୍ଟାଣ୍ଡ୍ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ଏବଂ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ହୋଇଥିବାବେଳେ ସେଠାରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବସଷ୍ଟାଣ୍ଡର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।