ସୁନାବେଡ଼ା ଅଭୟାରଣ୍ୟ ହେଉକି ଟେରିଟୋରିଆଲ୍ ଫରେଷ୍ଟ। କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବା ସହ, ଦିନକୁ ଦିନ ସେମାନଙ୍କ ଉତ୍ପାତ ବି ବଢ଼ି ଚାଲିଛି । ଫଳରେ ନୂଆପଡ଼ା ବ୍ଲକର ଧରମବନ୍ଧା, ଭରୁଆ ମୁଣ୍ଡା, ଆମାନାରା ଓ କୋମନା ବ୍ଲକର କିଛି ଅଞ୍ଚଳରେ ଗଲା ବର୍ଷକରେ ବାଘ ଆକ୍ରମଣରେ ୩୦ରୁ ଅଧିକ ଗୃହପାଳିତଙ୍କ ପଶୁଙ୍କ ସହ ୩ ଜଣ ମଣିଷଙ୍କ ଜୀବନ ବି ଗଲାଣି । ତେବେ ବିଗତ ୭-୮ ଦିନରେ ମଧ୍ୟ ପୁଣି ବାଘ ମାତିଥିବାରୁ ଭୟ ଓ ଆତଙ୍କରେ ଅଛନ୍ତି ଲୋକେ ।
କିଛିଦିନ ପୂର୍ବେ ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ଥିଲା ନୂଆପଡ଼ା । ଜଙ୍ଗଲରୁ ଗାଁ ମୁହାଁ ହୋଇଥିଲେ ବାଘ । କେତେବେଳେ ବାଘଟି ମଣିଷ ଶିକାର କରୁଥିଲା ତ ପୁଣି କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଥିଲା । ପରିସ୍ଥିତି ଏତେ ଗମ୍ଭୀର ହୋଇ ପଡିଥିଲା ଯେ ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ଥିବା ଲୋକମାନେ ବାଘ ଆକ୍ରମଣର ଡ଼ର ରେ ଦିନରେ ବି ପଦାକୁ ବାହାରିବାକୁ ଡରୁଥିଲେ । ଏହାର କିଛି ଦିନ ମଧ୍ୟରେ ବାଘଟି ଧରମବନ୍ଧା ସେକ୍ସନ୍ କୋଦପାଲି ଗାଁରେ ଜଣେ ନାବାଳକକୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା |
ଏହାଛଡ଼ା ଶୁକ୍ରବାର ପାଖ ସିଲିଆରିବାହାଲ ଗାଁର ଜଣେ ମହିଳା ରାମେଶ୍ୱର ବାଇ ଓ ଗତ ୩୧ ତାରିଖରେ ସେଠୁ ୭-୮ କିଲୋମିଟର ଦୂର କଟିଙ୍ଗପାଣି ଗାଁରେ ଦାଣ୍ଡରେ ଖେଳୁଥିବା ଏକ ଅଢେଇ ବର୍ଷର ଛୋଟ ଶିଶୁକୁ ଝାମ୍ପିନେଇ ମାରି ଖାଇଦେଇଥିଲା ମଣିଷଖିଆ ବାଘ । ଏହାର 5ଦିନ ପରେ ଧରା ପଡ଼ିଲା ଆତଙ୍କ ଖେଳାଇ ଥିବା କଲରା ପତରିଆ ବାଘ l ବନବିଭାଗର ଅନେକ ଚେଷ୍ଟା ପରେ ଶେଷରେ ଯନ୍ତାରେ ପଡ଼ିଲା ଏହି ମଣିଷଖିଆ ବାଘ l
ପ୍ରଥମେ ବାଘଟିକୁ CC TV ରେ ଗାଁ ଭିତରକୁ ପଶିବାର ଦେଖା ଯାଇଥିଲା | ଏହାପରେ ବାଘଟିକୁ ଏକ ଘରର ଛାତ ଉପରେ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ l ପରେ ତାକୁ ଧରିବା ପାଇଁ ଯନ୍ତା ପକାଇ ଥିଲା ବନ ବିଭାଗ। ପ୍ରାୟ ରାତି 11ଟା ବେଳେ ବାଘଟି ଯନ୍ତାରେ ପଡିଥିଲା l ଯନ୍ତାରେ ପଡ଼ିବା ପରେ ବିଳମ୍ବିତ ରାତିରେ ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍କୁ ଅଣାଯାଇଥିଲା ।
ବର୍ତ୍ତମାନ ସେହି ବାଘକୁ ସମ୍ବଲପୁର ଚିଡ଼ିଆଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ବନ୍ୟଜନ୍ତୁ ବିଭାଗର ଡ଼ିଏଫଓଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିଲା । ଆଉ ସେହି ସ୍ୱତନ୍ତ୍ର ଟିମ ନୂଆପଡାକୁ ଆସି ମଣିଷଖିଆ ବାଘକୁ କଡ଼ା ସୁରକ୍ଷା ବଳୟ ମାଧ୍ୟମରେ ସମ୍ବଲପୁର ଚିଡ଼ିଆଖାନାକୁ ନେଇଯାଇଥିଲେ । ସମ୍ବଲପୁର ଅଣାଯିବ ପରେ ୨୪ଘଣ୍ଟା ବାଘର ଗତିବିଧି ଉପରେ ନଜର ରଖାଯିବା ସହିତ ୨ ଦିନ କ୍ବାରେଣ୍ଟାଇନରେ ରଖାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଗତକାଲି ବିଳମ୍ବିତ ରାତିରେ ବାଘଟିକୁ ସମ୍ବଲପୁର ଚିଡ଼ିଆଖାନାକୁ ଆଣିବା ପରେ ତାର ଚିକିତ୍ସା ଚାଲିଛି l ବାଘଟିକୁ ସାମାନ୍ୟ ଆଘାତ ଲାଗିଥିବାରୁ ଡାକ୍ତରୀ ଦଳ ତାହାର ତଦାରଖ କରୁଛନ୍ତି l ବର୍ତ୍ତମାନର ସ୍ଥିତିକୁ ଦେଖି ତାକୁ ସମ୍ପୂର୍ଣ୍ଣ ଭାବେ ତାକୁ ସମସ୍ତଙ୍କ ଠାରୁ ଦୁରେଇ ରଖା ଯାଇଛି l ସଂକ୍ରମଣ ଆଶକାଙ୍କୁ ଦୂରେଇବା ପାଇଁ ତାକୁ ୨ ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି l ବାଘଟି ସୁସ୍ଥ ହେଲା ପରେ ସୁବିଧା ଦେଖି ତାକୁ କେଉଁଠାରେ ଛଡ଼ାଯିବ ତାର ନିଷ୍ପତି ନିଆଯିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି l