ଉଦ୍ଧାର ହେଲା ଦନ୍ତା ହାତୀର ମୃତଦେହ । ସୂଚନା ଅନୁଯାୟୀ ,କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ନିକଟ ଗୋଳାବନ୍ଧ ଫରେଷ୍ଟ ବିଟ ଭାଡ଼ିମରା ଗ୍ରାମରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗର ଅଧିକାରୀମାନେ ପହଞ୍ଚି ମୃତହାତୀ ଟିକୁ ଉଦ୍ଧାର କରିଥିଲେ । ତେବେ ଦନ୍ତା ହାତୀମାନଙ୍କ ମଧ୍ୟରେ ଲଢେଇ ହେବାରୁ ହାତୀଟିର ମୃତ୍ୟୁ ହୋଇଛି ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଦେବଗଡ଼ ବନଖଣ୍ଡ ପଟୁ ଗତ ୩ ଦିନ ତଳେ ୧୪ ଟିକିଆ ହାତୀପଲ ଆସିଥିଲେ । ଗତକାଲି ସଂଧ୍ୟାରେ ସେମାନେ ଗୋଳାବନ୍ଧ ରିଜର୍ଭ ଫରେଷ୍ଟରେ ରହିଥିଲେ । ଏଥିରେ ୬ଟି ମାଈହାତୀ ,୫ଟି ଛୁଆ ହାତୀ ଓ ୩ଟି ଦନ୍ତାହାତୀ ରହିଥିଲେ । ବନକର୍ମଚାରୀ ଓ ସ୍ଥାନୀୟ ଲୋକେ ରାତିରେ ହାତୀପଲଙ୍କୁ ଘଉଡ଼ାଇ ଦେଇଥିଲେ । ହେଲେ ଆଜି ସକାଳୁ ସ୍ଥାନୀୟଲୋକେ ସେହି ଦଳର ଏକ ଦନ୍ତା ହାତୀ ମରି ପଡିଥିବାର ଦେଖିବାକୁ ପାଇଥିଲେ । ମୃତ ଦନ୍ତାର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ବନ ବିଭାଗ ଅଧିକାରୀମାନେ ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।
ଆଗକୁ ପଢନ୍ତୁ :- ମଣିଷଖିଆ ବାଘର ଚାଲିଛି ଚିକିତ୍ସା