ପୁରୀ: ଆସନ୍ତାକାଲିଠାରୁ ପୁଣି ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବା ନେଇ ସୂଚନା ମିଳିଛି। ଆସନ୍ତାକାଲି ଏବଂ ପରଦିନ ଅର୍ଥାତ ଫେବୃଆରୀ ୧୨ ଏବଂ ୧୩ ତାରିଖରେ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯିବ ବୋଲି ନିଷ୍ପତି ହୋଇଛି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ସୂଚନାଯୋଗ୍ୟ ପୂର୍ବରୁ ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବୃଆରୀ ୨ ଏବଂ ୩ ତାରିଖ ତଥା ଫେବୃଆରୀ ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ଏହି ଦିନ ବ୍ୟତୀତ ଅନ୍ୟ ଦିନରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ ବୋଲି କୁହାଯାଇଥିଲା । କେବଳ ବିଶେଷ ପର୍ବ ଓ ନୀତି ଦିନ ଗୁଡିକରେ ବନ୍ଦ ରହିବାକୁ କମିଟି ପକ୍ଷରୁ ନିଷ୍ପତି ହୋଇଛି ।
ଅଧିକ ପଢନ୍ତୁ :- ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା