କେନ୍ଦ୍ରାପଡା: ପରୀକ୍ଷା ବେଳେ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଅସଦାଚରଣ ଶିକାର ହୋଇ ଜୀବନ ହାରିଲେ ଛାତ୍ରୀ । କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ କଲେଜର ଜଣେ ଯୁକ୍ତ ୨ ଛାତ୍ରୀ ଜୀବନ ହାରିଛନ୍ତି। ପର୍ଯ୍ୟବେକ୍ଷକ ଥିବା ଅଧ୍ଯାପକଙ୍କ ଯୋଗୁଁ ଛାତ୍ରୀ ଜଣକ ଜୀବନ ହାରିଥିବା ନେଇ ସଂଗୀନ ଅଭିଯୋଗ ଆସିଛି। ଏନେଇ ଶନିବାର ଦିନ ତାଙ୍କ ମା’ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଫେବୃଆରୀ ୧୯ ତାରିଖ ଦିନ ପରୀକ୍ଷା ସମୟରେ ପର୍ଯ୍ୟବେକ୍ଷକ ଜଣକ କପି ଚେକ୍ କରିବା ବାହାନାରେ ତାଙ୍କୁ କମନ ରୁମକୁ ନେଇ ଖରାପ ଭାବରେ ସ୍ପର୍ଶ କରିଥିଲେ। ସେ ପ୍ରତିରୋଧ କରିବାରୁ ତାକୁ ଫେଲ୍ କରାଇବାର ଧମକ ମଧ୍ଯ ଦେଇଥିଲେ। ଏପରିକି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ଚେତାବନୀ ମଧ୍ଯ ଦେଇଥିଲେ। ପ୍ରାୟ ୧୦ ମିନିଟ୍ ପରେ ସେ ପରୀକ୍ଷା ହଲକୁ ଫେରି ଆସିଥିଲେ।ତେବେ ଘରେ ପହଞ୍ଚିବା ପରେ ସେ କାନ୍ଦି କାନ୍ଦି ତାଙ୍କ ମାଆଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ ଏବଂ ଏକଥା ବି କହିଥିଲେ ଯେ ମୁଁ ସେଥିପାଇଁ କିଛି ଲେଖି ପାରିନାହିଁ । ଏହା ପରେ ପରିବାରବର୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲା ବେଳେ ପରୀକ୍ଷା ସରିବା ପରେ ସମସ୍ୟାର ସମାଧାନ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଫେବୃଆରୀ ୨୪ ତାରିଖରେ ଝିଅଟି ଜୀବନ ହାରିଥିବା ଜଣାପଡିଛି।
ଅପରପକ୍ଷରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ବେଳେ ମୃତକଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।