ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ । ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆସନ୍ତାକାଲି ଖୋଲାଯିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଞ୍ଜୁର କରିଛନ୍ତି ।
ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି ଦିନ ୧ଟା ପରେ ଶୁଭ ସମୟ ରହିଛି ବୋଲି ଏହି ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯାହା ଆଶା କରୁଛୁ ଦିନ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନ ଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ତାଲା ଭାଙ୍ଗିବ ପାଇଁ ତାଲା ଭଙ୍ଗା ଟିମ୍କୁ ଡକାଯାଇଛି ବୋଲି ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି ।
ସେହିପରି ସ୍ନେକ୍ ହେଲପଲାଇନ୍ ଓ ମେଡିକାଲ ଟିମ୍ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ । ତେବେ କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ମଧ୍ୟ ଏସ୍ଓପି ପ୍ରସ୍ତୁତ ହୋଇଛି । ତଦାରଖ କମିଟିର ୨ ଜଣ,ପୁରୀ ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍, ଏଏସ୍ଆଇ ଟିମ୍, ଭଣ୍ଡାର ମେକାପ, ତଡ଼ଉ କରଣ ରତ୍ନଭଣ୍ଡାର ଭିତରକୁ ଯିବେ । ସେହିପରି ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ।