ଭୁବନେଶ୍ୱର: ସେବାୟତ ମାନଙ୍କ ଭିତରେ ଯଦି କୌଣସି ବିବାଦ ଉପୁଜେ ସେଥିପାଇଁ ପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଯଦି ନୀତିରେ କୌଣସି ବିଶୃଙ୍ଖଳା ଦେଖାଯାଏ ତାହାଲେ ଉକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ, କିନ୍ତୁ ଏହି ନିୟମକୁ ଖାତିର କଲେନି ସେବୟତ ।
ପୁଣି ସେବାୟତଙ୍କ ବିବାଦରୁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଶୃଙ୍ଖଳା ଦେଖାଦେଇଛି। ଦେବଦମ୍ପତିଙ୍କ ବିବାହ ଭଳି ବଡ଼ ଉତ୍ସବ ଦିନରେ ନୀତି ପ୍ରାୟ ୬ ଘଣ୍ଟା ବିଳମ୍ବ ହୋଇଛି। ଦୁଃଖର କଥା, ସକାଳୁ ଓଲାଗି ପରେ ମଙ୍ଗଳଅଳତି ଓ ଅବକାଶ ନୀତି ନହୋଇ ସାହାଣମେଲା ଦର୍ଶନ କରାଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୀତିରେ ବିଭ୍ରାଟ ସୃଷ୍ଟି କରିଥିବା ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ ଗଣ।
୩୦ ତାରିଖ ରାତିରେ ଦେବଦମ୍ପତିଙ୍କ ବିବାହ କେଦାରଗୌରୀ ମନ୍ଦିରରେ ଜାକଜକମରେ ଅନୁଷ୍ଠିତ ହୋଇଥିଲା। ଆଜି ସକାଳୁ ବଡ଼ୁ ସେବାୟତ ରାଜଦେଉଳରେ ପ୍ରଭୁ ଲିଙ୍ଗରାଜଙ୍କ ଓଲାଗି କରିବା ପରେ ପୂଜାପଣ୍ଡା ମଙ୍ଗଳଆଳତି ଓ ଅବକାଶ ନୀତି କରିଥା’ନ୍ତେ। ଏହାପରେ ସାହାଣମେଲା ଦର୍ଶନ ହୋଇଥାଏ। କିନ୍ତୁ ଚର୍ଚ୍ଚେଇତ ପହଞ୍ଚିବା ପୂର୍ବରୁ ବଡ଼ୁ ସେବାୟତ ଠାକୁରଙ୍କ ସାହାଣମେଲା କରିଦେଇଥିଲେ। ଫଳରେ ମଙ୍ଗଳଆଳତି କିମ୍ବା ଅବକାଶ ନୀତି ହୋଇ ପାରିନଥିଲା। ରାଜଦେଉଳରେ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳଆଳତି ପରେ କେଦାରଗୌରୀ ମନ୍ଦିରରେ ଚଳନ୍ତି ପ୍ରତିମାଙ୍କ ମଙ୍ଗଳଆଳତି ହେବା କଥା। ହେଲେ ଲିଙ୍ଗରାଜଙ୍କ ନିକଟରେ ମଙ୍ଗଳଆଳତି ନହେବାରୁ କେଦାରଗୌରୀରେ ମଧ୍ୟ ଦେବଦମ୍ପତିଙ୍କ ମଙ୍ଗଳଆଳତି ହୋଇପାରି ନାହିଁ । ମନ୍ଦିର ପ୍ରଶାସନର ସମ୍ପୃକ୍ତ ବଡ଼ୁ ସେବାୟତ ମୁକ୍ତକାନ୍ତ ବଡ଼ୁଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ତେବେ ସକାଳ ସାଢ଼େ ୬ଟାରେ ପରିବର୍ତ୍ତେ ଦିନ ୧୨ଟା ୪୦ରେ ମଙ୍ଗଳଆଳତି ହୋଇଥିଲା।