ଭୁବନେଶ୍ବର : ପ୍ରଶାସନ କିପରି ଅଧିକ ଗତିଶୀଳ କାର୍ଯ୍ୟ କରିବ ସେନେଇ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ଏଣିକି ଯେଉଁ କର୍ମଚାରୀ ମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟରେ ଲଗାଯିବ । ଏଥିସହିତ ଯେଉଁମାନେ ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କୁ ପୁରସ୍କାର ଦିଆଯିବ । ପ୍ରତିମାସରେ ‘ବେଷ୍ଟ କର୍ମଚାରୀ’ ପୁରସ୍କାର ପ୍ରଦାନ କରାଯିବାକୁ ରାଜ୍ଯ ସରକାର ନିଷ୍ପତ୍ତି ନେଇଛନ୍ତି ।
ଉନ୍ନୟନ ଆୟୁକ୍ତ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଗତ ମେ' ୨୮ ତାରିଖରେ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ବିଭାଗ ପକ୍ଷରୁ ମଧୁସ୍ମିତା ସାମଲ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଏଣିକି ପ୍ରତ୍ୟେକ ବିଭାଗ ନିଜେ ନିଜେ ସ୍ଥିର କରିବ ଯେ କିଏ ହେବ ବେଷ୍ଟ କର୍ମଚାରୀ । ଏଥିପାଇଁ ୬ଟି ମାନଦଣ୍ଡକୁ ବିଭାଗ ପକ୍ଷରୁ ଧ୍ୟାନ ଦେବାକୁ ହେବ । ସେଥି ମଧ୍ୟରେ ଯେଉଁ କର୍ମଚାରୀ ନିୟମିତ କାର୍ଯ୍ୟାଳୟ ଆସୁଥିବେ ଏବଂ ବାୟୋମେଟ୍ରିକ୍ରେ ତାଙ୍କ ଉପସ୍ଥାନ ପକାଉଥିବେ । ଏହାସହ 'ଓସ୍ବାସ୍' ଜରିଆରେ ଅଧିକ ଫାଇଲ ପ୍ରେରଣ କରୁଥିବେ, ଯେଉଁଥିରେ କି ଗୁଣାତ୍ମକ ନଥିଗୁଡ଼ିକ ସାମିଲ ଥିବ ଡ୍ରାଫ୍ଟିଙ୍ଗର ମାନ ଠିକ୍ ଥିବ । ବିଶେଷ କରି ଡ୍ରାଫ୍ଟିଙ୍ଗ ଓଡ଼ିଆରେ ହୋଇଥିବ, ଆଇ-ଗଟ୍ ତାଲିମରେ ଯୋଡ଼ି ହୋଇଥିବେ । ଏସବୁ ବିଭିନ୍ନ ଦିଗକୁ ତର୍ଜମା କରି ବିଭାଗ ପକ୍ଷରୁ ବେଷ୍ଟ କର୍ମଚାରୀ ପୁରସ୍କାର ଦେବା ପାଇଁ ସୁପାରିସ୍ ଆସିବା ଆବଶ୍ୟକ ବୋଲି କୁହାଯାଇଛି ।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, କେତେ ଜଣ କର୍ମଚାରୀ ସଂଖ୍ୟାଧିକ ନଥି ପ୍ରସ୍ତୁତ କରୁଥିବା ବେଳେ ଆଉ କେତେ ଜଣ ଗୋଟିଏ ଦୁଇଟିରେ ସୀମିତ ରହୁଛନ୍ତି । ଏଣିକି ସମ୍ପୃକ୍ତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟଭାରକୁ ସମାନୁପାତିକ ଭାବରେ ବଣ୍ଟନ କରାଯିବ । ସମ୍ପୃକ୍ତ ବିଭାଗ ସମସ୍ତ କାର୍ଯ୍ୟକୁ ଏବେ ନିରୀକ୍ଷଣ କରିବ । କେଉଁ ଏଏସଓ ଏବଂ ଏସଓ କିଭଳି କାର୍ଯ୍ୟ କରୁଛନ୍ତି ତାହାର ଟିକିନିଖି ହିସାବ ସରକାରଙ୍କୁ ପ୍ରଦାନ କରିବାକୁ ପଡ଼ିବ । କେତେକ କ୍ଷେତ୍ରରେ ନଥି ସଚିବଙ୍କ ନିକଟରେ ପହଞ୍ଚିବା ବେଳକୁ ଏହା ୬ ପର୍ଯ୍ୟାୟ ଦେଇ ଯାଉଛି । ତେଣୁ ସରକାରଙ୍କୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି I ଏହି ପ୍ରକ୍ରିୟାକୁ ସରଳ ସହ ବ୍ୟବସ୍ଥିତ କରିବା ଲାଗି ଏଣିକି ତିନୋଟି ପର୍ଯ୍ୟାୟରେ ନଥି ବା ଫାଇଲ୍ ସଚିବଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ସେଥିମଧ୍ୟରେ ପ୍ରଥମେ ଏଏସ୍ଓ ଏବଂ ଏସ୍ଓ ମାନେ ଫାଇଲ୍ ପ୍ରସ୍ତୁତ କରିବେ । ଏହାପରେ ଡେସ୍କ ଅଫିସର/ଅନୁସଚିବ କିମ୍ବା ଉପସଚିବ ଅନୁଧ୍ୟାନ କରିବେ । ଶେଷରେ ଯୁଗ୍ମ ସଚିବ/ ଅତିରିକ୍ତ ସଚିବ କିମ୍ବା ସ୍ବତନ୍ତ୍ର ସଚିବ ଉକ୍ତ ନଥିକୁ ତଦାରଖ କରି ସଚିବଙ୍କୁ ପ୍ରେରଣ କରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।