ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ପାଇଖାନା ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକ ମୃତ୍ୟୁ ବରଣ କରିବା ମାମଲାରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏମ୍. ସନ୍ତୁ , ଅମିର ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତ୍ରାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । ଏହା ସହିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ପଡ଼ାଲଗୁଡ଼ା ଗାଁରେ ଏକ ଘରୋଇ ପାଇଖାନା ଟାଙ୍କି ନିର୍ମାଣ ଚାଲିଥିବାବେଳେ ଚାରି ଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ଏମ୍. ସନ୍ତୁ , ଅମିର ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତ୍ରା ଅସୁସ୍ଥ ହୋଇ ପଡ଼ିଥିଲେ । ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏମ୍ ସନ୍ତୁଙ୍କୁ ଗୁରୁତର ଅବସ୍ଥାରେ ଆଇସିଏୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ କିଛି ସମୟରେ ପରେ ପ୍ରାଣ ହରାଇଥିଲେ ।