ଦେବଗଡ଼: ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡ଼ା ଯିବ । ନୂଆ ସରକାର ଆସିବା ପରେ ଓଡିଶାର ୩୦ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦେବଗଡ଼କୁ ୨୦୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦେବଗଡ଼ ଗସ୍ତ କରି ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି । ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ଉଦଘାଟନ କରିଛନ୍ତି ।
୨୦୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ
୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ଉଦଘାଟନ
କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି
ସେହିପରି ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଉଦ୍ୟମ ଜାରି ରହିଛି ।
ସେହିପରି ଦେବଗଡ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପ୍ରାଥମିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ପୁଣି କହିଛନ୍ତି, ଜନସାଧାରଣକୁ ଯେଉଁ ପ୍ରତିଶ୍ରୁତି ଦେଇ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ। ସରକାର ଆସିବାର ଏକ ବର୍ଷ ହେବାକୁ ମାତ୍ର ୯ ଦିନ ବାକି ଅଛି । ଆଉ ଏଇ ଏକ ବର୍ଷ ଭିତରେ ଆମେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଓ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର ଚନ୍ଦ୍ର ସାହୁ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।