ଭୁବନେଶ୍ୱର: ଆଉ କେଇଟା ଦିନ ପରେ ଶେଷ ହେବ ଗ୍ରୀଷ୍ମ ଅବକାଶ । ସମସ୍ତ ବିଦ୍ୟାଳୟ ଖୋଲିବ ଏବଂ ପିଲା ଆସିବେ । ଏହାରି ମଧ୍ୟରେ ଚିନ୍ତା ବଢ଼ାଇଛି କୋଭିଡ ଭୂତାଣୁ । ଧିରେ ଧିରେ ରାଜ୍ୟରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କଲେଣି । ଏଥିପାଇଁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କୋଭିଡ ପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ । ଜୀବନ ହେଉଛି ବହୁତ ମୂଲ୍ୟବାନ । ପିଲାମାନେ ସ୍କଲକୁ ଯିବେ ଏବଂ ଏକାଠି ବସିବେ । ତେଣୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । ଯଦି କେଉଁ ପିଲାକୁ ଥଣ୍ଡା ଜ୍ୱର ହୁଏ ତାଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯିବ । ଯଦି ଅଧିକ ଅସୁସ୍ଥ ହୁଅନ୍ତି, ତେବେ ସେହି ପିଲାଙ୍କୁ ଘରେ ରହିବାକୁ କୁହାଯିବ । ଏଥିପାଇଁ ଗଣଶିକ୍ଷା ସଜାଗ ରହିଛି । ଯଦି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସେ ତାହାକୁ ଆମେ ପାଳନ କରିବୁ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ।
ଅନ୍ୟପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ, ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।