ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ନାନ ମଣ୍ଡପରେ ଭାଇ, ଭଉଣୀଙ୍କ ସାଙ୍ଗରେ ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ପୋଲିସ ବିଭାଗର ସୁରକ୍ଷା ସମୀକ୍ଷା ବୈଠକ ଶେଷ ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ନାନପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ ଫୋର୍ସ। ଏହାସହ ୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ,୪୫୦ ଅଧିକାରୀ ମଧ୍ୟ ମୁତୟନ ହେବେ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ। ପୁରୀର ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଉଥିବା କହିଲେ କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର। ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଏସପି,ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜୁନ୍ ୧୧ରେ ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ଉପରେ ପୋଲିସ ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଆସନ୍ତା ୯ ତାରିଖରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ।