ଭଦ୍ରକ: ଅମାନବୀୟ ଭାବରେ ଜଣଙ୍କ ଉପରକୁ ଗରମ ପାଣି ଫିଙ୍ଗି ମାରିଥିବା ଅଭିଯୋଗ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବନ୍ଧଗାଁ ପଞ୍ଚାୟତର ତଳସାହି ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ଗଗନ ମଲ୍ଲିକ ।
ଅଭିଯୋଗ ଅନୁସାରେ, ଗଗନ ମଲ୍ଲିକ ତଳସାହି ଗାଁର ଚୋରା ମଦ ବେପାର କରୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ । କାମ କରିବା ପରେ ଗଗନକୁ ଘରକୁ ଡାକି ବ୍ୟକ୍ତି ଜଣକ ମଦ ପିଇବା ପାଇଁ ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ସମୟରେ ବ୍ୟକ୍ତି ଜଣକ ଗଗନ ଉପରକୁ ଗରମ ପାଣି ଫିଙ୍ଗି ଦେଇଥିଲେ । ଏହି ଖବର ଗଗନଙ୍କ ସମ୍ପର୍କୀୟ ପାଇବା ପରେ ଅଭିଯୁକ୍ତର ଘରଠାରୁ ଅଳ୍ପ ଦୂରରେ ଗୁରୁତର ଅବସ୍ଥାରେ ଗଗନକୁ ଉଦ୍ଧାର କରିଥିଲେ । ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଗଗନକୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ମୃତ ଗଗନଙ୍କ ବଡ଼ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖିଛି । ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି ।