ଭୁବନେଶ୍ୱର: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ୫୦୦ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଓଡ଼ିଶାରେ ବିଜେପି ସରକାରକୁ ଆସନ୍ତା ଜୁନ୍ ୧୨ ତାରିଖରେ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।
ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ୨୦୨୫-୨୬ ବାର୍ଷିକ ବଜେଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨,୯୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୬,୭୯୪ ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବର ଲକ୍ଷ୍ୟ ମଧ୍ୟ ରଖାଯାଇଛି ।