ନୂଆଦିଲ୍ଲୀ: ବିଜେଡ଼ିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରକୁ ନେଇ ଆସିଛି ବଡ଼ ଖବର । ବିଜେଡ଼ିର ବରିଷ୍ଠ ନେତା ପିନାକୀ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୬୫ ବର୍ଷର ପିନାକୀ ମିଶ୍ର ୫୦ ବର୍ଷିୟା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ହାତ ଧରିଛନ୍ତି । ସେମାନେ ଜର୍ମାନୀରେ ବିବାହ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଉଭୟଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ପିନାକୀ ମିଶ୍ର କିମ୍ବା ମହୁଆ ମୈତ୍ରୀଙ୍କ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପିନାକୀ ମିଶ୍ର ଏବଂ ମହୁଆ ମୈତ୍ରୀ ମେ ୩ ତାରିଖରେ ଜର୍ମାନୀରେ ବିବାହ କରିଛନ୍ତି । ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ ସେ ବିବାହ କରି ସାରିଲେଣି । ତେବେ ଉଭୟଙ୍କ ଫଟୋ ବର୍ତ୍ତମାନ ଭାଇରାଲ ହେଉଛି । ତେବେ ଉଭୟଙ୍କ ଘନିଷ୍ଠତାକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । ସେହି ଚର୍ଚ୍ଚା ଆଜି ସତରେ ପରିଣତ ହୋଇଛି ।
ପିନାକୀ ମିଶ୍ର ପୁରୀରୁ ୪ ଥର ସାଂସଦ ହୋଇଛନ୍ତି । ପିନାକୀ ୧୯୯୬, ୨୦୦୯, ୨୦୧୪ ଏବଂ ୨୦୧୯ରେ ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ମହୁଆ ତୃଣମୂଳ କଂଗ୍ରେସରୁ କିଶନନଗର ଆସନରୁ ସାଂସଦ ଅଛନ୍ତି । ସେ ଦୁଇ ଥର ସାଂସଦ ହୋଇଥିବାବେଳେ ଥରେ ବିଧାୟିକା ରହିସାରିଛନ୍ତି । ମହୁଆ ମଧ୍ୟ ପୂର୍ବରୁ ବିବାହିତା ଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।