ଭୁବନେଶ୍ୱର: ବାଙ୍କୋ ପଥର ଖଣିରୁ ୪ ଟନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ି ଗାଏବ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ସୋମବାର ଓଡ଼ିଶା-ଝାଡ଼ଖଣ୍ଡ ସୀମାରୁ ଲୁଟ୍ ବିସ୍ଫୋରକରୁ ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି । ଝାଡ଼ଖଣ୍ଡ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରୁ ଏହାକୁ ଠାବ କରାଯାଇଛି । ମାଟି ତଳେ ବିସ୍ଫୋରକକୁ ପୋତି ଲୁଚାଇ ରଖିଥିଲେ ମାଓବାଦୀ । କୋବ୍ରା ବାଟାଲିୟନ, ଡିଭିଏଫ୍, ଆଇଆରବି ଓ ଏସଓଜି ଯବାନଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇଛି । ଜବତ ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିକଟରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ମାଓବାଦୀମାନେ ୪ ଟନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଲୁଟ୍ କରି ନେଇଥିଲେ । ଏହା ପରେ ପୋଲିସ ପକ୍ଷରୁ ସୀମାକୁ ବନ୍ଦ କରି ତଲାସୀ ଅଭିଯାନ କରିଥିଲେ । ଖୋଦ ପୋଲିସ ଡିଜି ୱାଇବି ଖୁରାନିଆ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଗତ ଶୁକ୍ରବାର ଦିନ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀର ସନ୍ଧାନ ମିଳିଥିଲା । ଏହା ପରେ ବିସ୍ଫୋରକକୁ ଉଦ୍ଧାର କରିବାକୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା । ଏହି ସମୟରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ଆଜି ତିରିଲିପୋଷ ଜଙ୍ଗଲରୁ ଅଢ଼େଇ ଟନ୍ ବିସ୍ଫୋରକକୁ ଉଦ୍ଧାର କରାଯାଇଛି । ଆହୁରି ବିସ୍ଫୋରକର ଏବେବି ସନ୍ଧାନ ମିଳି ପାରି ନାହିଁ ।