ଦୁଇଟି ଭିନ୍ନ ସ୍ଥାନ କୋଣାର୍କ ଓ ମୟୂରଭଞ୍ଜରେ ପୋଖରୀରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, କୋଣାର୍କ ଥାନା କୁରୁଜଙ୍ଗ ପଞ୍ଚାୟତ ଭାଣ ଗାଁରେ ଜଣେ ମହିଳା ରୋଷେଇ କରୁଥିବା ସମୟରେ ୧୮ ମାସର ଶିଶୁ କନ୍ୟାଟି ପୋଖରୀ ପାଖକୁ ଚାଲି ଯାଇଥିଲା । ପରେ ପୋଖରୀରେ ପଡି ମଧ୍ୟ ଯାଇଥିଲା । ଏହି ଘଟଣା ପରେ ପରିବାର ଲୋକେ ଶିଶୁକୁ ଖୋଜିଥିଲେ । କିନ୍ତୁ ତାର କୌଣସି ଖୋଜ ଖବର ପାଇନଥିଲେ । ବହୁ ସମୟ ପରେ ଶିଶୁ କନ୍ୟାଟି ପୋଖରୀରେ ଭାସୁଥିବାର ପରିବାର ଲୋକ ଦେଖିଥିଲେ । ଶିଶୁକୁ ଉଦ୍ଧାର କରି ତୁରନ୍ତ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁର୍ଭାଗ୍ୟବଶତଃ ଡାକ୍ତର ଶିଶୁକୁ ମୃତ ବୋଲି କହିଥିଲେ ।
ଅନ୍ୟପଟେ ଆଉ ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଧପଡା ଗାଁରେ ଘଟିଛି । ଗାଁର ବିଭୀଷଣ ସେନାପତିଙ୍କ ନାବାଳକ ଘରଠାରୁ କିଛି ଦୂରରେ ଥିବା ପୋଖରୀ ପାଖରେ ଖେଳୁଥିଲା । ଏହି ସମୟରେ ଅସାବଧନତା କାରଣରୁ ପୁଅ ପୋଖରୀ ଭିତରେ ଖସି ପଡିଥିଲା । ଏହା ପରେ ସେଠାରେ ଉପସ୍ଥିତ ଥିବା ସାଙ୍ଗମାନେ ନାବାଳକ ଘର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପୁଅକୁ ଗୁରୁତର ଅବସ୍ଥାରେ ପୋଖରୀରୁ ଉଦ୍ଧାର କରିଥିଲେ । ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ପରେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି ।