ପ୍ରଖ୍ୟାତ ଆନ୍ତର୍ଜାତୀୟ ଲେଖିକା ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଯୋଜିକା ଗୀତା ମେହେଟ୍ଟାଙ୍କ ଗତକାଲି ଶନିବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ନୂଆଦିଲ୍ଲୀସ୍ଥିତ ବାସଭବନରେଗତ ସନ୍ଧ୍ୟାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର କନ୍ୟା ହେଉଛନ୍ତି ଗୀତା ମେହେଟ୍ଟା ।
ଗୀତା ମେହେଟ୍ଟା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ପ୍ରାୟ ୨ବର୍ଷ ହେବ ସେ ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା। ଶେଷରେ ଗତକାଲି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୧୯ ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ ।
ଗୀତା ୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱାର୍କ ପାଇଁ ୧୪ଟି ଡକ୍ୟୁମେଂଟାରୀ ଫିଲ୍ମ ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ ୨୧ଟି ଭାଷାରେ ଟ୍ରାନ୍ସଲେଟ୍ ହୋଇଛି ଓ ୟୁରୋପ, ଆମେରିକା ଓ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ଭାବେ ପରିଗଣିତ ହୋଇଥିଲା । ଗୀତାଙ୍କ ଲିଖିତ ପ୍ରସିଦ୍ଧ ପୁସ୍ତକ ହେଉଛି ‘ଏ ରିଭର ସୂତ୍ର’ , ‘ଦି ଇଟରନାଲ ଗଣେଶ’ , ‘ସ୍ନେକ ଆଣ୍ଡ ଲାଡର୍ସ ଓ କର୍ମ କୋଲା’ । ୧୯୬୫ ମସିହାରେ ସେ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ ମସିହାରେ କିଛି ରାଜନୀତିକ ଚର୍ଚ୍ଚା କାରଣରୁ ଗୀତା ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି ।
ଆଜି ନୂଆଦିଲ୍ଲୀରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଗୀତାଙ୍କ ଶେଷ ଦର୍ଶନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଗୀତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ରାଜନୀତିର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ ;- ଜାମ୍ମୁ-କାଶ୍ମୀରରେ ଜଣେ ନିଖୋଜ ଯବାନଙ୍କ ମର ଶରୀର ମିଳିଛି