କଲବଲ କରୁଛି ବର୍ଷା ପାଣି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି ।ବର୍ଷା ହେବା ଯୋଗୁ ଅଧିକାଂଶ ସ୍ଥାନ ଜଳବନ୍ଦୀ ମଧ୍ୟ ହୋଇଛି। ପ୍ରତାପରୁଦ୍ରପୁର ପଞ୍ଚାୟତ କଣ୍ଟାବରାହୀ ଗ୍ରାମବାସୀ ଏବେ ଜଳବନ୍ଦି ଜୀବନ ବିତାଉଛନ୍ତି। ଘରୁ ବାହାରି ନ ପରି ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ । ପ୍ରାଚୀ ସବ୍ଡିଭିଜନ ଅନ୍ତର୍ଗତ ଗୋପ କେନାଲ ପାର୍ଶ୍ବରେ ଥିବା ଏହି ଗାଁରେ ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ ଯାହାଦ୍ୱାରା ଗାଁ ଭିତରେ ପାଣି ଜମିରହିଛି। କେନାଲର ଝର ସହ ବର୍ଷା ପାଣି ମିଶିଯିବା ଫଳରେ ରାସ୍ତାଘାଟ ଓ ଗାଁ ଭିତରେ ପାଣି ଜମି ରହିଛି।
ପାଣି ଜମି ରହିଥିବାରୁ ଗ୍ରାମବାସୀ କୋୖଣସି କାର୍ଯ୍ୟ କରିପାରୁନାହାନ୍ତି । କିଛି ଲୋକଙ୍କ ଘରର ଏରୁଣ୍ଡି ବନ୍ଧକୁ ପାଣି ଛୁଇଁଛି।ପକ୍କା ଘରେ ରହୁଥିବା ଲୋକଙ୍କ ଠାରୁ ମାଟିଘରେ ରହୁଥିବା ଲୋକମାନେ ବଡ଼ ଦୟନୀୟ ସ୍ଥିତିରେ ଅଛନ୍ତି।ବର୍ଷା ପାଣି ଯୋଗୁ ଘର ଜକେଇ ଜକେଇ କାଦୁଅ ଭଳି ସ୍ଥିତି ହୋଇଯାଇଛି ଯାହାଦ୍ୱାରା ଲୋକମାନଙ୍କର ଚୁଲି ଜଳିବା ସମ୍ଭବ ହେଉନାହିଁ। ଖିଆପିଆଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁଥିରେ ଲୋକେ ବଡ଼ କଲବଲ ହେଉଛନ୍ତି। ଖାଦ୍ୟ ଦ୍ରବ୍ୟ ଆଣିବା ପାଇଁ ଗ୍ରାମବାସୀଙ୍କୁ ଘରୁ ବାହାରିବା କଷ୍ଟକର ହେଉଛି । ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ଗାଁରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନାହିଁ ତେଣୁ ଏଭଳି ଶେଚନୀୟ ଅବସ୍ଥା ହୋଇଛି । ଏନେଇ ସେମାନେ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁବିଧା କରାଯାଇନି । ଘରେ ଚଳିବା ଯେମିତି ଯନ୍ତ୍ରଣାଦାୟକ ଘରୁ ବାହାରକୁ ଯା’ଆସ କରିବା ସେତିକି କଷ୍ଟକର ହୋଇପଡ଼ୁଛି।ପିଲାମାନେ ସ୍କୁଲ କି କଲେଜ ଯାଇପାରୁନାହାନ୍ତି ଯାହା ତାଙ୍କ ଶିକ୍ଷାରେ ପ୍ରଭାବ ପଡୁଛି । ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ପଶିପାରୁନାହିଁ । ଦୀର୍ଘ ଦିନ ଧରି ପାଣି ଜମି ରହିବା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣ ବଢ଼ିବାରେ ଲାଗିଛି କିନ୍ତୁ କଣ୍ଟାବାରାହୀ ଗାଁ ଲୋକେ ପଚାପାଣିରେ ଜୀବନ କାଟୁଛନ୍ତି ଯେଉଁଠି ମଶା ଭଣଭଣ ହେଉଛନ୍ତି। ଖୁବ୍ ଶୀଘ୍ର ଡ୍ରେନେଜ୍ ବ୍ୟବସ୍ଥା କରାନଗଲେ, ସେମାନେ ବ୍ଲକ୍ ସମ୍ମୁଖରେ ଧାରଣା ଦେବେ ବୋଲି ମତ ଦେଇଛନ୍ତି । ଏନେଇ ସରପଞ୍ଚ ଶ୍ରଦ୍ଧେୟା ପାତ୍ରଙ୍କ କହିବା କଥା କଣ୍ଟାବରେହୀ ଗାଁ ବିଷୟରେ ସେ ଅବଗତ ଅଛନ୍ତି। କିନ୍ତୁ ବର୍ଷା ଦିନ ସରିବା ପରେ ପରେ ସେ ସ୍ଥାୟୀ ପ୍ରତିକାର ପାଇଁ ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ଏହି ପରିସ୍ଥିତିରେ ଗ୍ରାମବାସୀଙ୍କ ସୁବିଧା ପାଇଁ ପ୍ରଶାସନ କେଉଁ ପଦକ୍ଷେପ ନେଉଛି ତାହା ଅପେକ୍ଷା କରିଛନ୍ତି ।
ଅଧିକ ପଢନ୍ତୁ ;ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ୧୪ଟି ଗେଟ୍ ଖୋଲାଯାଇଛି