ବାଲେଶ୍ୱର: ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ବାଲେଶ୍ୱର ଇସାଣୀରେ ଆଜି ଭୋର ସମୟରେ ପହଞ୍ଚିଛି ମରଶରୀର। ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।
ମରଶରୀର ଗତକାଲି ରାତିରେ ଜାମ୍ମୁ-କାଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ପ୍ରାୟ ରାତି ୧୨ଟା ୩୦ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେସାଧାରଣ ଜନତାଠାରୁ ଆରମ୍ଭ କରି ରାଜନେତା ଏବଂ ବରିଷ୍ଠ ପୋଲିସ ଅଧିକାରୀ।
ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପିସିସି ସଭାପତି ଭକ୍ତ ଦାସଙ୍କ ସହ ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ ଓ ବରିଷ୍ଠ ପୋଲିସ ଅଧିକାରୀ। ଏହାପରେ ପୈତୃକ ଗ୍ରାମ ବାଲେଶ୍ୱର ଇସାଣୀ ଗାଁ ଅଭିମୁଖେ ବାହାରିଥିଲା ପାର୍ଥିବଶରୀର। ପ୍ରଶାନ୍ତଙ୍କ ଶେଷକୃତ୍ୟ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଇସାଣି ଗାଁ ଗସ୍ତ କରି ଶେଷକୃତ୍ୟରେ ସାମିଲ ହେବା ନେଇ ସୂଚନା ମଧ୍ୟ ରହିଛି।
ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ ପ୍ରଶାନ୍ତ କୁମାର ଶତପଥୀ । ସେ ବାଲେଶ୍ୱର ସିପେଟରେ ଆକାଉଣ୍ଟାଣ୍ଟ୍ ଭାବେ କାମ କରନ୍ତି। ଗତକାଲି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କର ମୃତ ହୋଇଛି।
ଆତଙ୍କବାଦୀଙ୍କ ଆକ୍ରମଣ ନେଇ ମଙ୍ଗଳବାର ଦିନ ପ୍ରିୟଦର୍ଶିନୀ ଗଣମାଧ୍ୟମକୁ କହିଛନ୍ତି, ଅପରାହ୍ନ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ। ସାଢେ ୧୨ଟାରେ ଆମେ ଉପରକୁ ଯାଇଥିଲୁ। ସେଠାରେ ଆମ ମା-ପୁଅର ରୋପ ଓ୍ଵେ ସରି ସାରିଥିଲା। ସ୍ଵାମୀ ନିଜର ରୋପଓ୍ଵେ ଜଷ୍ଟ ସାରି ତଳକୁ ଓହ୍ଲାଉଥିଲେ ଏବଂ ଆମେ ତଳକୁ ଆସୁଥିଲୁ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କର ଗୁଳିରେ ମୋ ସ୍ବାମୀଙ୍କ ମୁଣ୍ଡରେ ବାଜିଥିଲା। ସହାୟତା ପାଇଁ ଚିତ୍କାର କରୁଥିଲି। ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ।