ଭୁବନେଶ୍ୱର : ଜାତୀୟ ଉଠାଦୋକାନୀ ଦିବସ ଅବସରରେ ସୋମବାର ଭୁବନେଶ୍ବର ସ୍ଥିତ ଇଞ୍ଜିନିୟରିଂ ଆସୋସିଏସନ ଠାରେ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି। ଏହା ଓଡ଼ିଶାର ସମସ୍ତ ଉଠାଦୋକାନୀ ସଂଘର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ ଓ ବିଜେପି ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ୱାରା ବାର୍ଷିକ ପତ୍ରିକା "ବଞ୍ଚିବାର ଆଶା" ନୂତନ ସଂସ୍କରଣ ଉନ୍ମୋଚନ କରାଯାଇଥିଲା।
ସକାଳ ୯ଟା ରୁ ଉଠା ବ୍ୟବସାୟୀ ମାନଙ୍କର ଏକ ବିଶାଳ ପଦଯାତ୍ରା ୟୁନିଟ୍ ୯ ଠାରୁ ଆରମ୍ଭ ହୋଇ ଇଞ୍ଜିନିୟରିଂ ଆସୋସିଏସନ ଠାରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ଉଠା ବ୍ୟବସାୟୀ ମାନଙ୍କର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଏହାଛଡା ବ୍ୟବସାୟୀ ବନ୍ଧୁ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟ ପ୍ରଦର୍ଶନ କରାଯାଇଥିଲା ଯାହାକୁ ଅତିଥି ମାନେ ଖୁବ ପସନ୍ଦ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଠାଦୋକାନୀ ସଂଘର ସଦସ୍ୟ ମାନେ ନିଜର ଅନେକ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ଓ ସରକାର ଏହାର ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବେ ବୋଲି ଉଠାଦୋକାନୀ ଆଶା ପୋଷଣ କରିଛନ୍ତି।