ଭୁବନେଶ୍ୱର : ପାଗଳା ଷଣ୍ଢର ଉତ୍ପାତରେ ଅତିଷ୍ଠ ରାଜଧାନୀବାସୀ । ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଂଚାୟତ ରୋକଟ ଗାଁରେ ପାଗଳା ଷଣ୍ଢର ଆତଙ୍କ ଦେଖିବାକୁ ମିଲିଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁଇଦିନ ହେବ ରବିବାର ରାତିରୁ ରୋକଟ ଗାଁରେ ଏକ ପାଗଳା ଷଣ୍ଢ ଆତଙ୍କ ଖେଳାଇଛି । ଗାଁରେ ଲୋକଙ୍କୁ ଦେଖିଲା ମାତ୍ରେ ଷଣ୍ଢଟି ଗୋଡ଼େଇ ଗୋଡ଼େଇ ଆକ୍ରମଣ କରୁଛି । ଯାହାଫଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି । ପାଗଳା ଷଣ୍ଢର ଉତ୍ପାତରେ ବର୍ତ୍ତମାନ ଗ୍ରାମବାସୀ ପୁରା ଭୟଭୀତ ହୋଇଛନ୍ତି । ଶେଷରେ ଗ୍ରାମବାସୀମାନେ ମୃତ ମହିଳାଙ୍କ ଶବ ରଖି ରାସ୍ତାରୋକ କରିଥିଲେ । କ୍ଷତିପୂରଣ ଦାବିରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଇଞ୍ଜିଣା ରୋକଟ ଏବଂ ମଞ୍ଚେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ରାସ୍ତାରେ ନିଆଁ ଲଗାଇ ଗ୍ରାମବାସୀ ଧାରଣାରେ ବସିଥିଲେ। ତେବେ ଘଟଣା ସଂପର୍କରେ ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଲୋକଙ୍କୁ ରାସ୍ତାରୁ ହଟାଇଥିବା ସୂଚନା ମିଳିଛି ।
ତେବେ ଘଟଣାପରେ ଗ୍ରାମବାସୀ ଭୟଭୀତ ଥିବା ବେଳେ ବିଏମ୍ସି କୁ ଦାୟୀ କରିଛନ୍ତି । ଲୋକଙ୍କ ବାରମ୍ବାର ଦାବି ସତ୍ୱେ ମଧ୍ୟ କାଞ୍ଜିଆହୁଦା କରାଯାଉନାହିଁ କି ଉତ୍ପାତ ମଚେଇଁଥିବା ଷଣ୍ଢକୁ ନେଇ କୌଣସି ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ ଯାହାକୁ ନେଇ ଅସନ୍ତୋଷ ଅଛନ୍ତି ଗ୍ରାମବାସୀ ।
ଅଧିକ ପଢନ୍ତୁ :- ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା