ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଆସିଲା ନୋଟିସ । ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ତୁରନ୍ତ ସମାଧାନ କର ନଚେତ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ସିଏମ୍ଓ ପକ୍ଷରୁ ଚିଠି ହୋଇଛି । ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ପୋଲିସ ଡିଜି, ପୋଲିସ କମିଶନର ସମସ୍ତଙ୍କୁ ସିଏମଓ ପକ୍ଷରୁ ଚିଠି ଜାରି ହୋଇଛି ।
ସୂଚନା ଥାଉ କି କିଛି ଲୋକମାନେ ସେମାନଙ୍କ ସମସ୍ୟାର ସମାଧାନ ହେଉନଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ଲୋକ ମାନଙ୍କର ଅଭିଯୋଗ ଶୁଣୁଛନ୍ତି ଏବଂ ସଂଗେ ସଂଗେ ହିଁ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ଆଜି ସୁଦ୍ଧା ୯ଥର ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ସଂଗେ ସଂଗେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଜିଲ୍ଲା ସ୍ତରରେ କିଛି ଅଭିଯୋଗ ସମାଧାନ ନ ହୋଇ ଅଭିଯୋଗ ବାରମ୍ବାର ଆସୁଛି ତେଣୁ ଏ ସବୁର ଧ୍ୟାନ ଦେଇ ସମାଧାନ କରିବାକୁ ସିଏମଓ ଅଫିସ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଚିଠି ଜାରି କରିଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି ଯେ ଜନଶୁଣାଣି ହେଉଛି ଓଡିଶା ସରକାରଙ୍କ ସର୍ବୋତମ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ଯାହା ନାଗରିକ ମାନଙ୍କୁ ଯେ କୌଣସି ସ୍ଥାନରୁ ଏବଂ ଯେ କୌଣସି ସମୟରେ ରାଜ୍ୟର ଉଚ୍ଚପଦସ୍ଥ ସରକାରୀ କତୃପକ୍ଷଙ୍କ ନିକଟରେ ସେମାନଙ୍କ ଅଭିଯୋଗ ଦାଖଲ କରିବାକୁ ଏକ ମଞ୍ଚ ପ୍ରଦାନ କରିଥାଏ । ପ୍ରାପ୍ତ ଅଭିଯୋଗ ଗୁଡିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ପରିଲକ୍ଷିତ ହୋଇଛି ଯେ ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି ଏତଦ୍ ଦ୍ୱାରା ଅଭିଯୋଗକାରୀ ମାନେ ସମାନ ଅଭିଯୋଗକୁ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ତେଣୁ ଅଭିଯୋଗ ଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଅନୁରୋଧ ତଥା ଯେଉଁ ଅଧୁକାରୀମାନେ ଜାଣିଶୁଣି ଅଭିଯୋଗ ଗୁଡିକର ସମାଧାନରେ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଓଡିଶା ବେସାମରିକ ସେବା (ବର୍ଗୀକରଣ, ନିୟନ୍ତ୍ରଣ ଏବଂ ଆବେଦନ) ନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି।