ଗତ ୧୦ ତାରିଖରେ ବଲାଙ୍ଗୀର ଜିଲ୍ଲା ବେଲପଡା ଅନ୍ତର୍ଗତ କାନୁଟ ଗ୍ରାମରେ ହୋଇଥିବା ଗ୍ୟାସ ଟ୍ରାଜେଡି ଘଟଣାରେ ୬ ଜଣ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ଦିନ କାନୁଟ ଗ୍ରାମରେ ଅତାବରିଆ ପରିବାର ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର ପାଇପରୁ ଗ୍ୟାସ୍ ଲିକ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୬ ଜଣ ପୋଡ଼ିହୋଇ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାଉରକେଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତ ଗୁରୁତର ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ଘଟିଛି ।
ଆହତଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଗତ ୧୦ ତାରିଖରେ ସବୁ ଦିନ ପରି ତାଙ୍କ ପରିବାରର ସମସ୍ତେ ଘରେ ଟିଭି ଦେଖୁଥିଲେ । ଟିଭି କୋଠରୀ ସମାନରେ ଥିବା ତାଙ୍କ ରୋଷେଇ ଘରେ ଥିବା ଜାଳେଣି ଗ୍ୟାସରେ ହଠାତ୍ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ନିଆଁ ବ୍ୟାପି ଯାଇ ଟିଭି ଦେଖୁଥିବା ପାଞ୍ଚ ଜଣ ମହିଳା ଗୁରୁତର ଭାବରେ ପୋଡ଼ି ଯାଇଥିଲେ । ସେହିପରି ନିଆଁ ଲିଭାଇବାକୁ ଯାଇ ଘରର ଜଣେ ଯୁବକ ମଧ୍ୟ ପୋଡ଼ି ଗୁରୁତର ଆହତ ହୋଇଥିଲେ। ସେହି ଛଅ ଜଣ ହେଲେ ଭାନୁମତୀ ଅତାବରିଆ, ପ୍ରେମରାଜ ଅତାବରିଆ, ଭୈରବୀ ଅତାବରିଆ, ମାଲତୀ ଅତାବରିଆ, ମହେଶ୍ୱର, ଭାଗ୍ୟବତୀ ଜାଲ। ଅପରପକ୍ଷରେ ଘଟଣାସ୍ଥଳରେ ଗ୍ରାମବାସୀ ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗୀରର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରୁ ରାଉରକେଲାର ଏକ ପ୍ରାଇଭେଟ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତ ୧୨ ତାରିଖରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ତାରିଖରେ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ସେପଟେ ପୁଣି ଶୁକ୍ରବାର ଦିନ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ଆଉ ୨ ଜଣ ଆହତ ଏବେ ବି ରାଉରକେଲାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ତେବେ ଏହି ଅଭାବନୀୟ ଘଟଣାରେ ମାଙ୍କ ମୃତ୍ୟୁ ଖବର ସହି ନପାରି ଜଣେ ୧୯ ବର୍ଷୀୟ ଯୁବକ ନିଜ ମାଙ୍କ ଶାଢୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଦୁଖଦଃ ଘଟଣା ସାମ୍ନାକୁ ଆସିଛି।
ଅଧିକ ପଢନ୍ତୁ: ଆଜି ମହାକାଶକୁ ଯିବ ଇନସାଟ୍ -3DS