ପୁରୀ: ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ରଥ ଉପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ । ଜନ୍ମବେଦୀରେ ଲୀଳା ସାରି ଫେରିଲେ ମହାବାହୁ । ଗତକାଲି ବାହୁଡ଼ା ଯାତ୍ରାରେ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ସୁନା ବେଶରେ ଦର୍ଶନ ଦେବେ ତିନି ଠାକୁର । କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ । ବର୍ଷକୁ ଶ୍ରୀଜିଉଙ୍କ ୪ ଥର ସୁନା ବେଶ ହେଉଥିବା ବେଳେ । ମନ୍ଦିର ଭିତରେ ୩ ଥର ଏବଂ ମନ୍ଦିର ବାହାରେ ଥରୁଟିଏ ହୋଇଥାଏ ।
ବଡଦାଣ୍ଡ ପୁଣି ଥରେ ଲୋକାରଣ୍ୟ ହୋଇପଡିବ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ ହେଲାଣି ବୋଲି ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ଯୋଗୁଁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କ କରାଯାଇଛି । ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ ପାର୍କିଂ କରାଯାଉଥିବା ସୂଚନା ଦେଇଛି ପୋଲିସ। ଏପରିକି ବାଟଗାଁ ଏବଂ ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ନିବେଦନ କରିଛି ପୋଲିସ। ପ୍ରବଳ ଭିଡକୁ ଲକ୍ଷ୍ୟରେ ରଖି ଗାଡି ପାସ୍ ଗୁଡିକ ରଦ୍ଦ କରାଯାଇଛି।
ଏହା ସହିତ ଓଡ଼ିଶା ପୋଲିସ ପକ୍ଷରୁ ଏକ ସତର୍କ ବାର୍ତ୍ତା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ପଠାଯାଇଛି । ସେଥିରେ ଉଲ୍ଲେଖ ଅଛି ଯେ, ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ ପାର୍କିଂ କରାଯାଉଛି । ବାଟଗାଁ/ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ଓଡ଼ିଶା ପୋଲିସର ନିବେଦନ ।