ପୁରୀ : ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ । ଏହି ଦିବ୍ୟ ମୁହୂର୍ତ୍ତକୁ କେବେଠୁ ଆତୁର ହୋଇ ଭକ୍ତ ଚାହିଁ ରହିଥିଲା । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆକର୍ଷଣୀୟ ବେଶ ଦେଖି ଭକ୍ତଙ୍କ ଆଖି ଲାଖି ହୋଇଯାଇଛି । କାଳିଆର ଚକା ଆଖିରେ ଆଖିକୁ ମିଶାଇ ଭକ୍ତ ଭାବ ବିହ୍ବଳ ହୋଇପଡିଛି । ମନର କଥା ଜଣାଇବା ସହ ଦୁର୍ଲଭ ବେଶ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀରେ ଭକ୍ତ ଓ ଭଗବାନ ଏକାକାର ହୋଇଛନ୍ତି । କୋଟି ପାତକର ପାପ କ୍ଷୟ ହୋଇଛି।
ତିନି ଠାକୁରଙ୍କ ଏହି ବେଶ ସବୁଠୁ ଆକର୍ଷଣୀୟ ବୋଲି କୁହାଯାଏ । ପରମ୍ପରା ଅନୁଯାୟୀ ଆଜି ସ୍ନାନ ପରେ ଗଜାନନ ବେଶରେ ସୁସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । କିମ୍ବଦନ୍ତୀ ରହିଛି ମହାରାଷ୍ଟ୍ରର ବ୍ରାହ୍ମଣ ଗଣପତି ଭଟ୍ଟଙ୍କୁ ଦେଇଥିବା ବରଦାନ ଯୋଗୁଁ ଏହି ଗଜାନନ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ପ୍ରତି ବର୍ଷ ଦର୍ଶନ ଦେଇଥାନ୍ତି ।