ଅହମ୍ମଦାବାଦ: ଗୁରୁବାର ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ କ୍ରୁ ସଦସ୍ୟ ସମେତ ୨୪୨ ଜଣ ଯାତ୍ରୀ ଥିଲେ। ତେବେ ବିମାନରେ ଥିବା କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି। ବାକି ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ଟାଟା ଗ୍ରୁପ୍ ବିମାନ ଦୁର୍ଘଟଣାରେ ପୀଡିତ ଏବଂ ସେମାନଙ୍କ ପରିବାର ପାଇଁ ଏକ ବଡ଼ ଘୋଷଣା କରିଛି।
ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଏକ ବିବୃତ୍ତି ଜାରି କରିଛନ୍ତି। ସେ ଲେଖିଛନ୍ତି, "ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଦୁର୍ଘଟଣାରେ ଆମେ ଗଭୀର ଦୁଃଖିତ। ଏହି ମୁହୂର୍ତ୍ତରେ ଆମେ ଯେଉଁ ଦୁଃଖ ଅନୁଭବ କରୁଛୁ ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଆମର ସମବେଦନା ଏବଂ ପ୍ରାର୍ଥନା ସେମାନଙ୍କ ପରିବାର ସହିତ ଅଛି ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଯେଉଁମାନେ ଆହତ ହୋଇଛନ୍ତି।"
ଏହା ବ୍ୟତୀତ ଟାଟା ସନ୍ସ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ଟାଟା ଗ୍ରୁପ୍ ଏକ କୋଟି ଲେଖାଏଁ ସହାୟତା ପ୍ରଦାନ କରିବ। ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ କହିଛନ୍ତି ଆମେ ଆହତମାନଙ୍କର ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ ଏବଂ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ଯତ୍ନ ଏବଂ ସହାୟତା ଯୋଗାଇ ଦେବୁ।ଏହା ସହିତ, ଆମେ ବିଜେ ମେଡିକାଲର ହଷ୍ଟେଲ ନିର୍ମାଣରେ ସହାୟତା ପ୍ରଦାନ କରିବୁ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପ୍ରଭାବିତ ପରିବାର ଏବଂ ସମ୍ପ୍ରଦାୟ ସହିତ ଠିଆ ହୋଇଛୁ।"
ଏହି ବିମାନରେ ବଞ୍ଚିଯାଇଥିବା ବ୍ୟକ୍ତି ହେଉଛନ୍ତି ରମେଶ ବିଶ୍ୱାସ କୁମାର ବୋଲି ଚିହ୍ନଟ କରାଯାଇଛି। ଏହି ଯାତ୍ରୀ ବୋଇଂ 787 ଡ୍ରିମଲାଇନରର '11A' ସିଟରେ ବସିଥିଲେ, ଯେଉଁଥିରେ 242 ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ସେ ତାଙ୍କ ଭାଇଙ୍କ ସହ ଲଣ୍ଡନ ଯାଉଥିଲେ। ଏହି ସମୟରେ, ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଟ୍ରମା ୱାର୍ଡରେ କାର୍ଯ୍ୟରତ ଡାକ୍ତର ଶାରିକ ଏମ୍ କହିଛନ୍ତି ଯେ ରମେଶ ବିଶ୍ୱାସ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନରେ ଦୁଇଜଣ ପାଇଲଟ୍ ଏବଂ ୧୦ ଜଣ କ୍ରୁ ସଦସ୍ୟ ସମେତ ୨୪୨ ଜଣ ଥିଲେ। ଏୟାର ଇଣ୍ଡିଆ ଅନୁଯାୟୀ, ବିମାନରେ ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ, ଜଣେ କାନାଡିଆନ୍ ଏବଂ ସାତ ଜଣ ପର୍ତ୍ତୁଗୀଜ୍ ନାଗରିକ ଥିଲେ।