ରାଜସ୍ଥାନ: ସାରା ବିଶ୍ବକୁ ସ୍ତବ୍ଧ କରିଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା। ଏହି ଦୁର୍ଘଟଣାରେ କେବଳ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ଯାଇଛି ତାହା ନୁହେଁ । ଯେଉଁ ମେଡିକାଲ ଛାତ୍ରାବାସ ଉପରେ ବିମାନ ମାଡ଼ ହୋଇଥିଲା, ସେହି ଛାତ୍ରାବାସର କିଛି ଛାତ୍ର ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କର ମଧ୍ୟ ଏହି ଭୟଙ୍କର ଦୁର୍ଘଟଣାରେ ଜୀବନ ଯାଇଛି । ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଘଟିଥିବା ଏହି ଦୁର୍ଘଟଣା କେତେ ଯେ, ପରିବାରକୁ ଉଜାଡ଼ିଦେଇଛି, ତାହା କହିବା ମୁସ୍କିଲ । ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୫ ଜଣ ସଦସ୍ୟ ।
ଏହି ବିମାନରେ ରହିଥିଲେ ଏମିତି ଜଣେ ବ୍ୟକ୍ତି, ଯାହାଙ୍କ ନାଁ ହେଉଛି ପ୍ରତୀକ ଯୋଶୀ । ପ୍ରତୀକ ନିଜ ପରିବାର ସହ ପତ୍ନୀ ଓ ପିଲାମାନଙ୍କୁ ସାଙ୍ଗରେ ଧରି ଲଣ୍ଡନ ଯାଉଥିଲେ । ପୂରା ପରିବାର ଯିବା ବେଳେ ବିମାନରେ ଖୁସିରେ ଫଟୋ ମଧ୍ୟ ଉଠାଇଥିଲେ, ହେଲେ ସେମାନେ ଜାଣିନଥିଲେ ଅଜାଣତେ ସେମାନେ ଉଠାଇଥିବା ଏହି ସେଲ୍ଫି ତାଙ୍କର ଶେଷ ଫଟୋ ପାଲଟିବ ।
ପ୍ରତୀକ ଯୋଶୀଙ୍କ ଘର ହେଉଛି ରାଜସ୍ଥାନ ବାଂଶୱାଡାର । ସେ ପେଶାରେ ଲଣ୍ଡନରେ ଜଣେ ଡାକ୍ତର । ତାଙ୍କ ପତ୍ନୀ ବି ଭାରତର ଜଣେ ଡାକ୍ତର ଥିଲେ, ଯିଏ ଘଟଣାର ୨ ଦିନ ର୍ପୂବରୁ ଚାକିରି ଛାଡ଼ି ସବୁଦିନ ପାଇଁ ଲଣ୍ଡନରେ ରହିବାକୁ ନିଜ ପିଲାଙ୍କ ସହ ଯାଉଥିଲେ । ପ୍ରତୀ, ସ୍ତ୍ରୀ କୋମି ଓ ନିଜର ୩ ପିଲାଙ୍କୁ ସେଠାକୁ ତାଙ୍କ ସହ ସବୁଦିନ ପାଇଁ ନେଇଯିବାକୁ ଆସିଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା, ବିମାନଟି ଟେକଅଫ୍ କରିବା ମାତ୍ରେ ହିଁ ୩୦ ସେକେଣ୍ଡରେ ଜଳିଯାଇଥିଲା, ଯେଉଁଥିରେ ୨୪୧ ଜଣ ଯାତ୍ରୀଙ୍କ ମଧ୍ୟରେ ଏହି ପରିବାର ମଧ୍ୟ ପ୍ରାଣ ହରାଇଛନ୍ତି ।