ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ଯେମିତି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି । ଅନେକ ବିଦେଶୀ ଏବଂ ଭାରତୀୟଙ୍କ ଜୀବନ ନେଇଗଲା ବୋଇଙ୍ଗ ଡ୍ରିମଲାଇନର୍ ବିମାନ । ଆଖି ପିଛୁଳାକେ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଗଲା । କେମିତି ଓ କାହିଁକି ଏହି ଦୁର୍ଘଟଣା ହେଲା ତାର ଏବେ କାରଣ ଖୋଜା ଚାଲିଛି । ତେବେ ଦୁର୍ଘଟଣାର ପ୍ରଥମ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଖୀପ୍ର ଗତିରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖାଯାଇଥିଲା ବିମାନଟି ଆକାଶରୁ ସିଧା ତଳକୁ ଖସୁଛି ଏବଂ ନିଆଁ ବାହାରି ଜଳି ଉଠୁଛି । ଏହି ଭିଡ଼ିଓ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏତେ କମ୍ ସମୟ ମଧ୍ୟରେ କିଏ ଓ କାହିଁକି ଭିଡ଼ିଓ କଲା ଏବଂ ସେହି ଦୁର୍ଘଟଣା ବେଳର ହିଁ ଭିଡ଼ିଓ କେମିତି ରେକର୍ଡ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ କରିଛି । ଏହାରି ମଧ୍ୟରେ ଭିଡ଼ିଓ କରିଥିବା ପିଲାର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ବିମାନ ଦୁର୍ଘଟଣାର ଅନେକ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି । ଯେଉଁମାନେ ବିମାନକୁ ହୁତୁ ହୁତୁ ହୋଇ ଜଳୁଥିବାରୁ ଦେଖୁଥିଲେ କିନ୍ତୁ କିଛି କରି ପାରୁ ନ ଥିଲେ । କାରଣ ନିଆଁର ଭୟାବହତା ଏତେ ଥିଲା ଯେ ତା ନିକଟକୁ ଯିବା ଅସମ୍ଭବ ଥିଲା । ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟରୁ ଆର୍ୟ୍ୟନ ନାମକ ଜଣେ ପିଲା ରହିଛି । ଯିଏ ଦୁର୍ଘଟଣାର ବେଳର ଭିଡ଼ିଓ ଉତ୍ତୋଳନ କରିଥିଲା ।
ଆର୍ୟ୍ୟନ ଏକ ସାମାଜିକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛି, ଆର୍ୟ୍ୟନ ଗାଁରେ ରୁହେ । ସେଦିନ ପ୍ରଥମ ଥର ପାଇଁ ସେ ଅହମ୍ମଦାବାଦ ଆସିଥିଲା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମାତ୍ର ଅଳ୍ପ ଦୂରରେ ଥିବା ମେଘାଣୀନଗରରେ ସେ ରହିବା ପରେ ଦେଖିଥିଲା ଯେ ସେ ରହୁଥିବା ବିଲ୍ଡିଂ ଉପରେ ଅତି ନିକଟରୁ ଉଡ଼ାଜାହାଜ ଯାଉଛି । ଯାହାକୁ ଦେଖି ସେ ଅତି ଉତ୍ସାହିତ ହୋଇଥିଲା । ସେଥିପାଇଁ ଭିଡ଼ିଓ କରିବାକୁ ସ୍ଥିର କରିଥିଲା । ସକାଳୁ ପହଁଚିବା ପରେ ନିଜ ମୋବାଇଲ ଫୋନରେ ଭିଡ଼ିଓ ଉତ୍ତୋଳନ କରୁଥିଲା । ସେତେବେଳକୁ ଏୟାରଇଣ୍ଡିଆ ଏଆଇ୧୭୧ ବିମାନ ଆସିଥିଲା । ସବୁ ବିମାନ ଟିକେ ଦୂରରେ ଯାଉଥିବାବେଳେ ଏୟାରଇଣ୍ଡିଆ ବିମାନ ଅତି ଟିକେ କମ୍ ଉଚ୍ଚାରେ ଉଡ଼ି ଯାଉଥିବାର ସେ ଦେଖି ଭିଡ଼ିଓ ନେଇଥିଲା । ଏହା ମଧ୍ୟ ତା ମନକୁ ଆସିଥିଲା ବିମାନଟି ଏତେ ପାଖରେ କାହିଁକି ଯାଉଛି, କିନ୍ତୁ ଅଧିକ କିଛି ନ ଭାବି ସେ ଭିଡ଼ିଓ ନେଇଥିଲା ।
ମାତ୍ର କ୍ଷଣିକ ମଧ୍ୟରେ ସବୁକିଛି ଏପଟ ସେପଟ ହୋଇଗଲା । ଆର୍ୟ୍ୟନ ଦେଖିଥିଲା, ବିମାନଟି ଆକାଶରୁ ସିଧା ତଳକୁ ଖସୁଛି ଏବଂ ଏକ ବିଲ୍ଡିଂରେ ଧକ୍କା ହୋଇ ଜଳି ଉଠୁଛି । ଯେଉଁ ଭିଡ଼ିଓ ଗଣମାଧ୍ୟମକୁ ଆସିଥିଲା ।
ଆର୍ୟ୍ୟନ କହିଛି, ଘଟଣା ପରଠାରୁ ସେ ବହୁତ ଭୟଭୀତ ହୋଇଯାଇଥିଲା । ଭିଡ଼ିଓ ବନେଇକି ଗାଁରେ ସାଙ୍ଗ ମାନଙ୍କୁ ଦେଖାଇବା ତାର ଉଦ୍ଦେଶ୍ୟ ଥିଲା । କିନ୍ତୁ ଏମିତି ଦୁର୍ଘଟଣା ଦେଖି ସେ ବହୁତ ଡରି ଯାଇଥିଲା । ଏକକାଳୀନ ୨୪୧ ଲୋକଙ୍କ ମୃତ୍ୟୁ ଶୁଣିବା ପରେ ସେ ବହୁତ ଭୟଭୀତ ହୋଇଥିଲା ବୋଲି କହିଛି ।